ଜୁନ୍ ୧୩ରେ ରାଜ୍ୟସଭା ନିର୍ବାଚନ, ସୁବାସଙ୍କ ଜାଗାରେ କିଏ?

May 13, 2022 - 08:53
 71
ଜୁନ୍ ୧୩ରେ ରାଜ୍ୟସଭା ନିର୍ବାଚନ, ସୁବାସଙ୍କ ଜାଗାରେ କିଏ?
ଭୁବନେଶ୍ୱର: ଜୁନ୍ ୧୦ରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାର ଥିବାବେଳେ ଜୁନ ୧୩ରେ ଆଉ ଏକ ଆସନ ପାଇଁ ନିର୍ବାଚନ ହେବ । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ତେଣୁ ତାଙ୍କରି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ଆସନ୍ତା ଜୁନ ୧୩ରେ ଏଥିପାଇଁ ନିର୍ବାଚନ ହେବ । ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି । ଜୁନ ୧୩ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ମେ’ ୨୬ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଦିନ ଠାରୁ ଜୁନ ୨ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ । ଜୁନ ୩ ରେ ନାମାଙ୍କନ ପତ୍ର ଯାଂଚ ହେବାର ଥିବାବେଳେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁନ ୬ ରହିଛି । ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ କରିଥା’ନ୍ତି ତେବେ ଜୁନ ୧୩ରେ ନିର୍ବାଚନ ଅନୁଷ୍ଠିତ ହେବ । ଫଳରେ ଏବେ ଚାରୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । କିନ୍ତୁ ପ୍ରଥମେ ୩ ଓ ପରେ ଗୋଟିଏ ଆସନ ପାଇଁ ନିର୍ବାଚନ ହେଉଥିବାରୁ ବିଜେଡ଼ିର ୪ ପ୍ରାର୍ଥୀ ଜିତିବା ନିଶ୍ଚିତ ହୋଇଯାଇଛି ।