ଧର୍ମଘଟ, ଜନଜୀବନ ଅଚଳ
ଭୁବନେଶ୍ୱର,୮/୧(ସକାଳଖବର):୧୨ ଦଫା ଦାବିରେ ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ୨ ଦିନିଆ ଧର୍ମଘଟ ମଙ୍ଗଳବାର ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ କରାଯାଇଛି । ଓଡିଶାରେ ବିଜେଡି ଓ କଂଗ୍ରେସ ସମେତ କିଛି ରାଜନୈତିକ ଦଳ ଏହି ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି । ବାମପନ୍ଥୀ ଦଳ ଗୁଡିକ ମଧ୍ୟଏଥିରେ ସାମିଲ ହୋଇଛନ୍ତି । ଧର୍ମଘଟ ପ୍ରଭାବରେ ସାଧାରଣ ଜୀବନଯାତ୍ରା ବ୍ୟାହାତ ହୋଇଛି । ଯାନ ବାହାନ ଚଳାଚଳ ବନ୍ଦ ରହିଛି । କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମେତ ବ୍ୟାଙ୍କ୍ , ଜାତୀୟ ରାଜପଥ ,ରେଲୱେ ଷ୍ଟେସନ୍ ବିଭିନ୍ନ ଛକ ସ୍ଥାନରେ ଟାୟାର ଜାଳି ପିକେଟିଂ କରାଯାଇଥିଲା । ତେବେ ସଚିବାଳୟ , ବିଧାନସଭା ଓ ବିଭାଗୀୟ ମୁଖ୍ୟ ଦପ୍ତର ସମେତ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡିକ ଖୋଲା ରହିଥିଲା ଏବଂ କର୍ମଚାରୀ ଉପସ୍ଥାନ ମଧ୍ୟ ସ୍ୱାଭାବିକ ଥିଲା । ସରକାରଙ୍କ ଘୋଷଣା ଅନୁଯାୟୀ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଥିଲା । ଅତ୍ୟାବଶ୍ୟକୀୟ ସେବାଗୁଡିକୁ ଧର୍ମଘଟରୁ ବାଦ୍ ଦିଆଯାଇଥିଲା ।
ଅନ୍ୟପକ୍ଷରେ ପୂର୍ବତଟ ରେଳପଥ ପକ୍ଷରୁ ୭ଟି ଟ୍ରେନ୍ କୁ ବାତିଲ କରାଯାଇଥିବା ବେଳେ ୨ ଟି ଟ୍ରେନ୍ କୁ ଆଂଶିକ ଭାବେ ବାତିଲ କରାଯାଇଥିଲା ଏବଂ ୨୦ଟି ଟ୍ରେନ୍ ର ରୁଟ୍ ପରିବର୍ତନ କରାଯାଇଥିଲା ।
ସରକାରଙ୍କ ଶ୍ରମିକ ମାରଣ ନୀତି, କୃଷକ ମାରଣନୀତି, ସର୍ବୋପରି ଜନବିରୋଧୀ ନୀତି,ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା ଦାବି, କୃଷି ଋଣ ଛାଡ଼, କୃଷକମାନଙ୍କର ଫସଲର ଉଚିତ୍ ମୂଲ୍ୟ, ବେକାରଙ୍କୁ ନିଯୁକ୍ତି, ବନ୍ଦ କଳକାରଖାନାକୁ ପୁନଃ ଖୋଲିବା, ଶ୍ରମିକମାନଙ୍କୁ ଛଟେଇରୁ ବନ୍ଦ କରିବା ଆଦି ଦାବି ନେଇ ଦେଶର ୧୦ ଟି ଟ୍ରେଡ୍ ୟୁନିୟନ ର ୨୦ କୋଟି କର୍ମଚାରୀ ଧର୍ମଘଟକୁ ଓହ୍ଲାଇଛନ୍ତି । ବନ୍ଦକୁ ସଫଳ କରିବାପାଇଁ ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳରୋକ କରାଯିବା ସହ ରାସ୍ତା ଅବରୋଧ କରାଯାଇଥିଲା । ଦୋକାନ ବଜାର , ଟ୍ରକ୍ , ବସ୍ ଓ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ତେବେ ରାଜଧାନୀରେ କାଁଭାଁ ୨ ଚକିଆ ଗାଡି ଚାଲୁଥିବାର ଦେଖିବାକୁ ମିଳିଥିଲା । ଏହା ବ୍ୟତୀ ହାଇକୋର୍ଟ , ବନ୍ଦର ଓ ଖଣି ଗୁଡିକ ମଧ୍ୟ ବନ୍ଦ ରହିଥିଲା । ବସ୍ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଅନେକ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା । ପୂର୍ବତଟ ରେଳବାଇ ପକ୍ଷରୁ କେତେକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ କେତେକର ରୁଟରେ ପରିବର୍ତନ ଏବଂ କେତେକ ଟ୍ରେନର ସମୟରେ ପରିବର୍ତନ କରାଯାଥିଲା ।
ଚେନ୍ନାଇ-ହାୱଡା କରମଣ୍ଡଳ ଏକ୍ସପ୍ରେସ୍ ଭଦ୍ରକରୁ ୭ଟା ୧୫ ମିନିଟ୍ ପରିବର୍ତେ ୭.୩୫ ମିନିଟରେ ଛାଡ଼ିଥିଲା । ସେହିପରି ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ୬ଟା ପରିବର୍ତେ ୬ଟା ୪୫, ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ୍ ରେତଙ୍ଗରୁ ୭.୧୦ ପରିବର୍ତେ ୭.୩୩ ଏବଂ ଭୁବନେଶ୍ୱରରୁ ୭.୩୩ ପରିବର୍ତେ ୮.୫୮ରେ, ଭୁବନେଶ୍ୱର-ବଲାଙ୍ଗୀର ଇଂଟରସିଟି ଏକ୍ସପ୍ରେସ୍ ଭୁବନେଶ୍ୱରରୁ ୬.୩୦ ପରିବର୍ତେ ୬.୫୩ରେ, ପୁରୀ -ଏଲଟିଟି ଏକ୍ସପ୍ରେସ୍ ରେତାଙ୍ଗରୁ ୬.୩୦ ପରିବର୍ତେ ୭.୦୦ରେ ଏବଂ ଭୁବନେଶ୍ୱରରୁ ୭.୧୧ ପରିବର୍ତେ ୮.୩୯ରେ ପହଂଚିବ ।
ସେହିପରି ପୁରୀ-ପାରାଦୀପ/ବଡବିଲ୍ ଇଂଟରସିଟି ଡେଲାଙ୍ଗରୁ ୬.୪୦ ପରିବର୍ତେ ୯.୦୫, ବିଶାଖପଟନମ୍-ଅମ୍ରିତସର ହୀରାକୁଦ ଏକ୍ସପ୍ରେସ୍ ଖୋର୍ଦ୍ଧା ରୋଡରୁ ୬.୪୫ ପରିବର୍ତେ ୭.୩୫ ଏବଂ ରେତାଙ୍ଗରୁ ୭.୫୩ ପରିବର୍ତେ ୮.୪୫, ହାଇଦ୍ରାବାଦ-ହାୱଡା ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ ଖୋର୍ଦ୍ଧା ରୋଡରୁ ୭.୪୮ ପରିବର୍ତେ ୯.୧୫ରେ ଛାଡ଼ିବ । ଏହା ବ୍ୟତୀତ ନାଗରକୋଲି-ସାଲିମାର୍ ଏକ୍ସପ୍ରେସ୍ ଖୋର୍ଦ୍ଧାରୁ ୬.୨୫ ପରିବର୍ତେ ୭.୨୫, ମହୀଶୂର-ହାୱଡା ଏକ୍ସପ୍ରେସ୍ ଖୋର୍ଦ୍ଧାରୁ ୯.୨୫ରେ , ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ୍ ରମ୍ଭାରୁ ୮.୪୦ରେ, ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍ ବ୍ରହ୍ମପୁରରୁ ୭.୫୨ରେ, ସିକନ୍ଦରବାଦ-ହାୱଡା ଫାଲକନାମ ଏକ୍ସପ୍ରେସ୍ ଇଚ୍ଛାପୁରମରୁୁ ୯.୦୫ରେ, ଦୁର୍ଗା-ପୁରୀ ଏକ୍ସପ୍ରେସ୍ ଭୁବନେଶ୍ୱର ନ୍ୟୁରୁ ୭.୫୦ ପରିବର୍ତେ ୮.୪୭ରେ ବିକାନେର୍-ପୁରୀ ଏକ୍ସପ୍ରେସ୍ ନିରାଜରୁ ୮.୧୭ ପରିବର୍ତେ.୯.୦୩ରେ ଛାଡ଼ିବ ।
ସେହିପରି ଭୁବନେଶ୍ୱର-ବିଶାଖପଟନାମ୍-ଭୁବନେଶ୍ୱର ଇଂଟରସିଟି ଏକ୍ସପ୍ରେସ୍, ପୁରୀ-କଟକ-ପୁରୀ ପାସେଞ୍ଜର,କଟକ-ବ୍ରହ୍ମପୁର-କଟକ ପାସେଞ୍ଜର, କଟକ-ଭଦ୍ରକ-କଟକ ପାସେଞ୍ଜର, ବ୍ରହ୍ମପୁର-କଟକ-ବ୍ରହ୍ମପୁର ମେମୁ, କଟକ-ପାରାଦୀପ-କଟକ ମେମୁ ଓ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି ।