ବିଜେଡିରୁ ଜୟନ୍ତ ଷଡ଼ଙ୍ଗୀଙ୍କ ଇସ୍ତଫା

Mar 29, 2019 - 05:58
 118
ପୁରୀ, ୨୮/୩(ସକାଳଖବର): ପୁରୀର ପ୍ରାକ୍ତନ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ (ନିଲୁ) ଆଜି ବିଧିବଦ୍ଧଭାବେ ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ବୋଲି ଅପରାହ୍ନରେ ନାୟକ ପ୍ଲାଜାଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ଶ୍ରୀ ଷଡଙ୍ଗୀ କ୍ଷୋଭର ସହ କହିଛନ୍ତି ଯେ, ବିଜେଡିରେ ଥିଲା ସମୟରେ ବହୁବାର ତାଙ୍କ ବିରୋଧରେ ମାନସିକ ଚାପ ସୃଷ୍ଟି କରାଯାଇଛି । ପୁରୀର ପ୍ରଗତି ପାଇଁ ଯେକୌଣି କାମରେ ବାଧା ସୃଷ୍ଟି କରାଯାଇଛି । କୌଣସି ଉନ୍ନତିମୂଳକ କାମ କରିବା ପାଇଁ ଚାହୁଁଥିବାବେଳେ ବିଧାୟକ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି । ଏପରିକି ଗାନ୍ଧୀଘାଟଠାରେ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ସମୟରେ ମୋତେ ମାରିଦେବା ପାଇଁ ଷଡଯନ୍ତ୍ର କରାଯାଇଥିଲା । ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ଭବାନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣରେ ମୋର ନାମକୁ କୌଶଳକ୍ରମେ ଯୋଡି ଦେବାକୁ ଚେଷ୍ଟା କରାଯାଇଥିଲା । ଯାହା ମତେ ମାନସିକ ଚାପ ଦେଇଥିଲା । ପୌରସଂସ୍ଥାର ଅଧ୍ୟକ୍ଷ ଥିବା ସମୟରେ ଉନ୍ନତିମୂଳକ କାମ ପାଇଁ ପରିଷଦ ବୈଠକରେ ଅନ୍ୟ କାଉନସିଲରଙ୍କୁ ଲଗାଇ ବିରୋଧ କରାଯାଇଥିଲା । ବିଜେପି, କଂଗ୍ରେସ ଦଳ ମୋତେ ସମ୍ମାନ ଦେଉଥିବାବେଳେ ନିଜ ଦଳରେ ମୋତେ ନିର୍ଯାତନା ଦିଆଯାଉଥିଲା । ମୁଁ ନିଜକୁ ଦଳ ଭିତରେ ଅସୁରକ୍ଷିତ ମଣୁଥିଲି । ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋତେ ପଚରା ଯାଉନଥିଲା । ଏପରିକି ମୋତେ ରାଜନୈତିକ ଉଦେ୍ଧଶ୍ୟ ରଖି ସତ୍ୟବାଦୀକୁ ପଠାଯାଇ ସଂଗଠନ କରିବା ପାଇଁ କୁହାଯାଇଥିଲା । ଶେଷ ପର୍ଯ୍ୟନ୍ତ ମୁଁ ସତ୍ୟବାଦୀରେ ସଂଗଠନ କରି ସଫଳ ହୋଇଥିବା ବେଳେ ବିଜେଡି ଦଳରୁ ବହିଷ୍କୃତ ହେଉଥିବା ନେତୃତ୍ୱକୁ ଦଳ ପ୍ରାର୍ଥୀ ପାଇଁ ଟିକେଟ୍ ଦେଇଛି । ଯାହା ମୋତେ ଖୁବ୍ ବାଧିଛି । ଜଗନ୍ନାଥଙ୍କ ଆଶିର୍ବାଦରୁ ଜନତାଙ୍କ ସେବା କରିବା ପାଇଁ ମୁଁ ସର୍ବଦା ଚେଷ୍ଟିତ । ବିଜେଡି ଛାଡିବା ପରେ ଅନ୍ୟ କେଉଁ ଦଳକୁ ଯିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ସେ କହିଲେ ସବୁ ଜଗନ୍ନାଥଙ୍କ ଇଚ୍ଛା । ନଗରପାଳ କରାଇନଦେବା ପାଇଁ ଶେଷ ମୂହୁର୍ତ ପର୍ଯ୍ୟନ୍ତ ମୋ ବିରୁଦ୍ଧରେ ଚକ୍ରାନ୍ତ ହୋଇଥିଲା । କିନ୍ତୁ ଏହା ସଫଳ ହୋଇ ନଥିଲା । ଏବେ ଆଗକୁ କ’ଣ ହେଉଛି ତାହା ଦେଖିବାର କଥା । ଏପରି ସ୍ଥିତିରେ ଜୟନ୍ତ ଆଗକୁ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳି ନିମନ୍ତେ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।