ଚୌଦ୍ୱାର ଜେଲ ଅଧିକ୍ଷକଙ୍କୁ ବ୍ୟକ୍ତିଗତ ହାଜର ନିଦେ୍ର୍ଧଶ

May 9, 2018 - 14:19
 197
କଟକ,୮ା୫(ସକାଲକବର): ପାରାଦୀପ ତାରିଣୀଗଡ଼ା ଗୁଳିକାଣ୍ଡ ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ଡି.ପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଚୌଦ୍ୱାର ଜେଲ ଅଧିକ୍ଷକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ପୂର୍ବରୁ କୋର୍ଟ ଦେଇଥିବା ଆଦେଶ ଅନୁସାରେ ଅଧିକ୍ଷକ ସତ୍ୟପାଠ ଦାଖଲ କରିଥିବାବେଳେ କୋର୍ଟ ଏଥିରେ ସନ୍ତୁଷ୍ଟ ନହୋଇ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବା ପାଇଁ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି । ଏହି ମାମଲାରେ ଆସନ୍ତା ୧୫ତାରିଖରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ତାଙ୍କ ଓକିଲ ହିମାଂଶୁ ଶେଖର ମିଶ୍ର ଏକ ସତ୍ୟପାଠ ଦାଖଲ କରିଥିଲେ । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଏଜିଏ ଜନ୍ମେଞ୍ଜୟ କଟକିଆ ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୬ ମସିହା ମେ ମାସ ୨୯ ତାରିଖ ରାତିରେ ତାରିଣୀଗଡା ନିକଟରେ ଦୁଇ ଯୁବକ ଜ୍ୟୋତିକାନ୍ତ ପରିଡା ଓରଫ୍ ବାପୁ ଓ ଆଶୁତୋଷ ସ୍ୱାଇଁ ଓରଫ ବାବୁଙ୍କୁ ଦୁବର୍ତ୍ତମାନେ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସିୱେଜ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକାଣ୍ଡ ମାମଲାରେ ଗିରଫ ହେବା ପରେ ଶ୍ରୀ ମିଶ୍ରଙ୍କୁ ପାରାଦୀପ ପୁଲିସ୍ ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଦର୍ଶାଇଥିଲା । ଏହି ମାମଲାରେ ନିମ୍ନ ଅଦାଲତ ତାଙ୍କ ଜାମିନ ନାମଞ୍ଜୁର କରିବା ପରେ ଶ୍ରୀ ମିଶ୍ର ହାଇକୋର୍ଟରେ ଆବେଦନ କରିଥିଲେ । ପୂର୍ବରୁ ୨୦୧୭ ମସିହା ଜୁନ୍ ମାସ ୮ତାରିଖରେ ତାଙ୍କର ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ ।