ଚିରନିଦ୍ରାରେ ଅଟଳ

Aug 16, 2018 - 18:30
 191
ଚିରନିଦ୍ରାରେ ଅଟଳ
ନୂଆଦିଲ୍ଲୀ,୧୬/୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜି ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ଗତ କିଛି ବର୍ଷ ଧରି ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାର ଶିକାର ହୋଇଥିଲେ । ଅବସ୍ଥା ଅଧିକ ଗୁରୁତର ହେବାରୁ ଗତ କିଛିଦିନ ତଳେ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁରେ ଦେଶବ୍ୟାପୀ ଶୋକ ପ୍ରକାଶ ପାଇଛି । ଦଳମତ ନିର୍ବିଶେଷରେ ନେତାମାନେ ସ୍ୱର୍ଗୀୟ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଜନସାଧାଣଙ୍କ ଶେଷ ଦର୍ଶନ ନିମନ୍ତେ ଅଟଳଙ୍କ ମରଶରୀରକୁ ତାଙ୍କ ବାସଭବନରେ ରଖାଯାଇଛି । ଆସନ୍ତାକାଲି ସ୍କୃତି ସ୍ଥଳରେ ତାଙ୍କର ଶେଷକୃତ୍ୟ ସଂପନ୍ନ । ଜଣେ ସ୍ଥିତପ୍ରଜ୍ଞ ରାଜନେତା, ବାକ୍ଚାତୁରୀସଂପନ୍ନ ବକ୍ତା, ସାହସିକ ବ୍ୟକ୍ତିତ୍ୱ ଭାବେ ସମଗ୍ର ଦେଶରେ ସେ ପରିଚିତ । ପୋଖରାନ ଆଣବିକ ବିସ୍ପୋରଣ ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ଗୋଧ୍ରା ଦଙ୍ଗା ପରିପେକ୍ଷୀରେ ରାଜଧର୍ମ ପାଳନ ପାଇଁ ମନେ ପକାଇଦେଇ ସେ ନିଜ ରାଜନୈତିକ ପରିପକ୍ୱତା ପ୍ରଦର୍ଶନ କରିଥିଲେ । ରାଜନୀତିରେ ସେ ଥିଲେ ଅଜାତଶତ୍ରୁ । ତାଙ୍କ ସମ୍ମାନରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଜାତୀୟ ପତାକା ଅର୍ଦ୍ଧନମିତ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନା ପାଇଁ ଦେଶବାସୀ ତାଙ୍କ ନିକଟରେ ଋଣୀ ରହିବେ । କିନ୍ତୁ ଏହି ଦୁଇ ଯୋଜନା ଆରମ୍ଭ କରିଥିବା ବାଜପେୟୀଙ୍କୁ ପରବର୍ତ୍ତୀ ନିର୍ବାଚନରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା ।