ପଞ୍ଚଭୂତରେ ଅଟଳ

Aug 17, 2018 - 15:44
 199
ପଞ୍ଚଭୂତରେ ଅଟଳ
ନୂଆଦିଲ୍ଲୀ,୧୭/୮: ଗତକାଲି ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର ଆଜଅପରାହ୍ନରେ ପଞ୍ଚ ମହାଭୂତରେ ଲୀନ ହୋଇଛି । ନିଜ ଦଳ ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ଆଜି ପୂର୍ବାହ୍ନରେ ତାଙ୍କ ମରଶରୀର ନିଆଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ମୁଖ୍ୟ ଶୋଭାଯାତ୍ରା ଦିଲ୍ଲୀ ରାଜରାସ୍ତାରେ ଶ୍ମଶାନ ସ୍ଥଳ ପର୍ଯ୍ୟନ୍ତ ଯାଇଥିଲା । ଦୀର୍ଘ ୮ କିଲୋମିଟର ଶୋଭାଯାତ୍ରା ରାସ୍ତା ଅଟଳଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡ଼ିଥିଲା । ରାସ୍ତା ପାଶ୍ୱର୍ରୁ ଜନସାଧାରଣ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଦେଖାଯାଇଥିଲା । ପ୍ରତିରକ୍ଷା ବାହିନୀ ତୋପ ଗାଡ଼ିରେ ତାଙ୍କ ମରଶରୀର ସଂପୂର୍ଣ୍ଣ ତ୍ରିରଙ୍ଗା ଆଚ୍ଛାଦିତ କରଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଆଯାଇ ଶ୍ମଶାନ ସ୍ଥଳରେ ତୋପ ସଲାମୀ ସହ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ସମଗ୍ର ଶୋଭାଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ । ମରଶରୀର ଶୋଭାଯାତ୍ରାରେ ବିଜେପିର ବହୁ ବରିଷ୍ଠ ନେତା ସମାିଲ ହୋଇଥିବାବେଳେ ଶ୍ମଶାନ ଘାଟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ଏଲ.କେ.ଆଡ଼ଭାନୀ, ଅନେକ ରାଷ୍ଟ୍ରନେତା, କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଜଣାଇଥିଲେ । ଏହି ଅବସରରେ ଭୁଟ୍ଟାନ ରାଜା ଦିଲ୍ଲୀରେ ପହଞ୍ଚି ପରଲୋକଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଚଳି ଜଣାଇଥିଲେ । ସେହିପରି ଆଫଗାନିସ୍ଥାନ ଓ ନେପାଳ ପ୍ରତିନିଧିମଣ୍ଡଳୀ ଶ୍ମଶାନରେ ପରଲୋକଗତ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ୱର୍ଗତ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆଜି ଏକପ୍ରକାର ଭାରତ ବନ୍ଦ ରହିଥିଲା । ଅଧିକାଂଶ ରାଜ୍ୟରେ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଓ ବିଚାରଳୟ ଆଦି ବନ୍ଦ ରହିଥିଲା । ଅଟଳଙ୍କ ପାଳିତ କନ୍ୟା ନମିତା ମୁଖାଗ୍ନି ଦେବା ପରେ ସେହି ରାଷ୍ଟ୍ରନୀତିଜ୍ଞଙ୍କ ପାର୍ଥିକ ଶରୀର ଅଗ୍ନିଲୀନ ହୋଇଥିଲା ।