ଚାଲିଗଲେ ସଙ୍ଗୀତର ସରସ୍ବତୀ: ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ

Feb 6, 2022 - 08:48
 96
ଚାଲିଗଲେ ସଙ୍ଗୀତର ସରସ୍ବତୀ: ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ
ମୁମ୍ବାଇ: ଭାରତରତ୍ନ କୋକିଳକଣ୍ଠୀ ଲତା ମଙ୍ଗେସକର ଆଉ ନାହାନ୍ତି। ଆଜି ସକାଳ ୮ଟା ୧୨ ମିନିଟ ସମୟରେ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ଗତକାଲି ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଚଳିତ ବର୍ଷ ଜାନୁଆରି ମାସ ପ୍ରାରମ୍ଭରେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଲତା ମଙ୍ଗେସ୍‌କରଙ୍କୁ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କାଣ୍ଡି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା। ସେ କୋଭିଡ୍‌-୧୯ ଓ ନିମୋନିଆରେ ସଂକ୍ରମିତ ହୋଇଥିଲେ। ଲତାଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଆଜି ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରରେ ଲତା ମଙ୍ଗେସକରଙ୍କର ଶେଷକୃତ୍ୟ ସଂପନ୍ନ ହେବ। ଭାରତୀୟ ସଂଗୀତର କିମ୍ବଦନ୍ତୀ ଲତା ମଙ୍ଗେସକର କୌଣସି ପରିଚୟର ଆବଶ୍ୟକତା ରଖନ୍ତି ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ସେ ହେଉଛନ୍ତି କୋକିଳ କଣ୍ଠୀ, ସେ ହେଉଛନ୍ତି ସ୍ୱର ସମ୍ରାଜ୍ଞୀ, ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା’ ସରସ୍ୱତୀ । ସତରେ ତାଙ୍କ ସ୍ୱରରେ ଏମିତି ଯାଦୁ ରହିଛି, ଯେଉଁଥିପାଇଁ ଏବେ ବି ତାଙ୍କ ଗୀତ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ସେହି ଆଗ୍ରହ ଓ ଆବେଗ ଦେଖିବାକୁ ମିଳେ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ, ଭାରତରତ୍ନ ଲତା ମଙ୍ଗେସକର ।