ଗୋଦରେଜ ଆପ୍ଲିଆନସେସ୍ର ‘ଗୋଦରେଜ ଦିଶା’ କାର୍ଯ୍ୟକ୍ରମ

Jul 23, 2018 - 15:58
 186
ମୁମ୍ବାଇ, ୨୨/୭: ଗୋଦରେଜ ଆପ୍ଲିଆନସେସ୍ ନିଜର ‘ଗୋଦରେଜ ଦିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ଅବହେଳିତ ବର୍ଗର କିଶୋର ଓ ଯୁବକଙ୍କ ପାଇଁ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ହାତକୁ ନେବାକୁ ପଦକ୍ଷେପ ଗ୍ରହଣ କରିଛି । କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହି ଯୋଜନାରେ ୫୫,୦୦୦ ଯୁବକଙ୍କୁ ତାଲିମ ଦେବା ପାଇଁ ଗୋଦରେଜ ଲକ୍ଷ୍ୟ ରଖିଛି । ପରବର୍ତ୍ତୀ ଦଶନ୍ଧିରେ ଦେଶରେ ଯେଉଁ ଆର୍ଥିକ ବିକାଶ ଘଟିବ ସେଥିରେ ଆଖିଦୃଶିଆ ଦକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଅଦ୍ୟାବଧି ଭାରତର ଶ୍ରମ ଶକ୍ତିର ୨ ରୁ ୪% ଜନସାଧାରଣ ଆନୁଷ୍ଠାନିକ ଦକ୍ଷତା ତାଲିମ ଗ୍ରହଣ କରିଛନ୍ତି । ଦେଶର ଜନସଂଖ୍ୟାର ୬୫% ଜନସାଧାରଣ ୩୫ ବର୍ଷ ମୟସ ମଧ୍ୟରେ ରହିଥିବାରୁ ସେମାନଙ୍କୁ ତାଲିମ ପ୍ରଦାନ କରାଗଲେ ବେକାରୀ ସମସ୍ୟାର ମୁକାବିଲା କରାଯାଇପାରିବ । ଗୋଦରେଜ ଆପ୍ଲିଆନସେସ୍ ନିଜର ‘ଗୋଦରେଜ ଦିଶା’ କାର୍ଯ୍ୟକ୍ରମ ଜରିଆରେ ଏହି ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିଛି । ଏଥିପାଇଁ କଂପାନୀ ଖ୍ୟାତନାମା ତାଲିମ ପ୍ରତିଷ୍ଠାନ ସହ ସହବନ୍ଧନ କରିଛି । ଗୋଦରେଜ ଅଦ୍ୟାବଧି ୩୫ଟି ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ ପରିଚାଳନା କରୁଛି । ୨୦୧୨ ମସିହାରୁ କଂପାନୀ ଏହି କାର୍ଯ୍ୟ ଆରମ୍ଭ କରିଛି । ଅଦ୍ୟାବଧି ଏହା ୩୭,୦୦୦ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିସାରିଛି । ଆଗାମୀ ୩ ବର୍ଷ ମଧ୍ୟରେ କଂପାନୀ ଅତିରିକ୍ତ ୧୫ଟି ତାଲିମ ଅନୁଷ୍ଠାନ ଖୋଲିବା ପାଇଁ ଲକ୍ଷ୍ୟ ରଖିଛି । ଏଥିରେ ୧୮,୦୦୦ ଯୁବକଙ୍କୁ ତାଲିମ ପ୍ରଦାନର ବ୍ୟବସ୍ଥା ରହିଛି । ଏହି ପରିପ୍ରେକ୍ଷୀରେ ଗୋଦରେଜ ଆପ୍ଲିଆନସେସର ବ୍ୟବସାୟ ମୁଖ୍ୟ ତଥା ଇଭିପି କମଲ ନନ୍ଦୀ କହିଛନ୍ତି ଯେ, ପ୍ରଯୁକ୍ତି କ୍ଷେତ୍ରରେ ଦେଶର ଶିଳ୍ପାନୁଷ୍ଠାନରେ ପରିବର୍ତ୍ତନ ଘଟୁଛି । ଏଥିପାଇଁ କୁଶଳୀ କର୍ମଚାରୀଙ୍କ ଆବଶ୍ୟକତା ପଡ଼ିବ । ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବେ ଗୋଦରେଜ ୨୦୨୦ ମସିହା ସୁଦ୍ଧା ଦେଶର ୫୫,୦୦୦ ଯୁବକଙ୍କୁ ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ । ଗୋଦରେଜ ଆପ୍ଲିଆନସେସ୍ ସେବା ମୁଖ୍ୟ ରବି ଭଟ୍ଟ କହିଛନ୍ତି ଯେ, ଗ୍ରାହକ ସେବା କ୍ଷେତ୍ରରେ ବିକ୍ରି ପରବର୍ତ୍ତୀ ସେବା ଯୋଗାଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ କୁଶଳୀ କାରିଗରଙ୍କ ଅଭାବ ସେବା ଯୋଗାଣରେ ବାଧା ସୃଷ୍ଟି କରୁଛି । ୨୦୨୦ ମସିହା ସୁଦ୍ଧା କେବଳ ଗୋଦରେଜ ୭୦୦୦ କୁଶଳୀ କାରିଗର ଆବଶ୍ୟକ କରିବ ବୋଲି ସେ କହିଛନ୍ତି । ପରବର୍ତ୍ତୀ ସମୟରେ କୁଶଳୀ କାରିଗରୀଙ୍କ ଆବଶ୍ୟକତା ବୃଦ୍ଧି ପାଇବ ।