ତାଳଚେର ସାର କାରଖାନା ଇକୁ୍ୟଟି ନିବେଶକୁ କ୍ୟାବିନେଟ ଅନୁମୋଦନ

Sep 19, 2018 - 18:11
 137
ଭୁବନେଶ୍ୱର , ୧୯/୯ (ସକାଳଖବର): ଜାତୀୟ ରସାୟନ ଏବଂ ସାର ଲିଃ (ଆରସିଏଫ) ଦ୍ୱାରା ତାଳଚେର ସାର ଲିଃ.(ଟିଏଫଏଲ)ରେ ଏକ କୋଇଲା ବାଷ୍ପିକରଣ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଏଥିପାଇଁ ମୋଟ ପ୍ରକଳ୍ପ ମୂଲ୍ୟର ୨୯.୬୭% ହାରରେ ୧୦୩୩.୫୪ କୋଟି ଟଙ୍କାର ଇକୁ୍ୟଟି ନିବେଶ ଲାଗି ସାର ମନ୍ତ୍ରଣାଳୟର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ମଞ୍ଜୁର କରିଛନ୍ତି । ତାଳଚେର ପ୍ରକଳ୍ପର ପୁନରୁଦ୍ଧାର ଦ୍ୱାରା ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ମଧ୍ୟରେ ସରକାରଙ୍କ ଦ୍ୱାରା ସାର କ୍ଷେତ୍ରରେ ବ୍ୟାପକ ନିବେଶ ସୁନିଶ୍ଚିତ ହୋଇପାରିବ । ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟ ଏବଂ ପୂର୍ବାଂଚଳର ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କରିବ । ସାର ୟୁନିଟର ପୁନରୁଦ୍ଧାର ଦ୍ୱାରା ୟୁରିଆର ଘରୋଇ ଉପôାଦନ ବୃଦ୍ଧି ପାଇବା ସହିତ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ । ସୂଚନାଯୋଗ୍ୟ ଯେ ତାଳଚେର ସାର କାରଖାନାର ପୁନରୁଦ୍ଧାର ଲାଗି ଗେଲ, ଆରସିଏଫ, ସିଆଇଏଲ ଏବଂ ଏଫସିଆଇଏଲର ଯୌଥ ଉଦ୍ୟମରେ ଟିଏଫଏଲ କମ୍ପାନୀ ନଭେମ୍ବର, ୨୦୧୫ରେ ପ୍ରତିଷ୍ଠା କରାଯାଇଥିଲା । ଏଥିରେ ଗେଲ, ଆରସିଏଫ ଏବଂ ସିଆଇଏଲର ୨୯.୬୭% ଅଂଶଧନ ରହିଥିବା ବେଳେ ଏଫସିଆଇଏଲର ୧୦.୯୯% ଅଂଶଧନ ରହିଛି । ଓଡ଼ିଶାର ଅନୁଗୁଳ ଜିଲ୍ଲାର ତାଳଚେର ଠାରେ କୋଇଲାରୁ ଗ୍ୟାସ ବାଷ୍ପିକରଣ ଆଧାରରେ ସାର କାରଖାନା ପ୍ରତିଷ୍ଠା କରିବା ଲାଗି ଟିଏଫଏଲ ପ୍ରତିଷ୍ଠା କରାଯାଇଥିଲା ।