ଚେତାବନୀ ଦେଲେ ଅରୁଣ, ଦୁର୍ନୀତି କଲେ ମିଳିବ ଦଣ୍ଡ

Dec 17, 2021 - 06:53
 61
ଚେତାବନୀ ଦେଲେ ଅରୁଣ, ଦୁର୍ନୀତି କଲେ ମିଳିବ ଦଣ୍ଡ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-‘ଟି’ କାର୍ୟ୍ୟକ୍ରମ ମାଧ୍ୟମରେ କର୍ମକ୍ଷେତ୍ରରେ ସ୍ୱଚ୍ଛତା ଓ କର୍ମଚାରୀମାନଙ୍କ ପାରଦର୍ଶିତା ଉପରେ ଗୁରୁତ୍ବ ଦିଆଯାଉଛି । ଏହା ସଙ୍ଗେ ସଙ୍ଗେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଏହାର ସଫଳ ରୂପାୟନ ପାଇଁ ଯତ୍ନବାନ ହେବା ଆବଶ୍ୟକତା ରହିଛି । ଏଣୁ ବିଭିନ୍ନ ଯୋଜନା କାର୍ୟ୍ୟକାରିତାରେ ଦୁର୍ନୀତି ଏବଂ ଅବହେଳାକାରୀ ଅଧିକାରୀ ହେବେ ଦଣ୍ଡିତ । ଏନେଇ ଚେତାବନୀ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ । ସ୍ୱଚ୍ଛତାକୁ ବିଭାଗୀୟ କାର୍ୟ୍ୟକ୍ରମରେ ପ୍ରତିଫଳିତ କରିବା ନିମନ୍ତେ କୃଷି ଓ ଖାଦ୍ୟ ନିର୍ଦ୍ଦେଶାଳୟର ସମସ୍ତ କ୍ଷେତ୍ର ପ୍ରଦର୍ଶନ କାର୍ୟ୍ୟକ୍ରମରେ ଆବଶ୍ୟକୀୟ କୃଷି ସହାୟତା ଯୋଗାଇବା ପଦ୍ଧତିକୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତରଣ ଅନ୍ତର୍ଭୁକ୍ତ କରାଯାଇଛି । ଡିବିଟି ମାଧ୍ୟମରେ ସରକାରୀ ପ୍ରୋତ୍ସାହନ ତଥା ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଚାଷୀମାନଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ରିହାତି ଅର୍ଥ ପ୍ରଦାନ କରାଯାଉଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା କାର୍ୟ୍ୟକାରୀ ହେଉଥିବା ସମସ୍ତ ଯୋଜନାରେ ଆଗାମୀ ଦିନରେ ଡିବିଟି ପଦ୍ଧତି କାର୍ୟ୍ୟକାରୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧରେ ବିଭାଗୀୟ ନିର୍ଦ୍ଦେଶକମାନେ ସାପ୍ତାହିକ ସମୀକ୍ଷା କରିବା ପାଇଁ ମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ ମାସରେ ଆଭାସୀ ମାଧ୍ୟମରେ ଏହାର ସମୀକ୍ଷା ନେବାକୁ ମନ୍ତ୍ରୀ କହିଛନ୍ତି । ଏହି ମାସିକ ସମୀକ୍ଷାରେ ସମସ୍ତ ତିନୋଟି ନିର୍ଦ୍ଦେଶାଳୟର ଖର୍ଚ୍ଚ ହୋଇଥିବା ଅର୍ଥରାଶିର ସମୀକ୍ଷା ସହ ଚଳିତ ଆର୍ଥିକ ବର୍ଷରେ ହେବାକୁ ଥିବା ଖର୍ଚ୍ଚ ସ୍ଥାନିତ ହେବ । କାର୍ୟ୍ୟକାରିତାରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ । ଅବହେଳା କରୁଥିବା ଅଧିକାରୀମାନେ ଦଣ୍ଡିତ ହେବେ ବୋଲି ମନ୍ତ୍ରୀ ତାଗିଦ୍‌ କରିଛନ୍ତି । ଏହାସହିତ ଆସନ୍ତା ଜାନୁଆରୀ ୩୧ ତାରିଖରେ ପରବର୍ତ୍ତୀ ସମୀକ୍ଷା ବୈଠକ ଆୟୋଜନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଫାର୍ମ ପଣ୍ଡ କାର୍ୟ୍ୟକ୍ରମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତି ବିଭାଗକୁ ଅଧିକ ଉତ୍ସାହର ସହ ସାମିଲ କରିବାକୁ ବୈଠକରେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।