କୋହଲିଙ୍କ ୧୦ ମାସର ଝିଅକୁ ଗଣ ଦୁଷ୍କର୍ମ ଧମକ

Nov 2, 2021 - 06:17
 96
କୋହଲିଙ୍କ ୧୦ ମାସର ଝିଅକୁ ଗଣ ଦୁଷ୍କର୍ମ ଧମକ
ନୂଆଦିଲ୍ଲୀ: ଭାରତୀୟ କି୍ରକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ନିର୍ଭୀକ ବୟାନ ପାଇଁ ଜଣାଶୁଣା । ସେ ଯାହାକୁ ଭୁଲ ଭାବନ୍ତି ତାହା ବିପକ୍ଷରେ ଏବଂ ଯାହାକୁ ଠିକ ଭାବନ୍ତି ତାହା ସପକ୍ଷରେ ଠିଆ ହୁଅନ୍ତି । କିନ୍ତୁ ଏଥିପାଇଁ ତାଙ୍କ ୧୦ ମାସର ଝିଅକୁ ଯେ ଦୁଷ୍କର୍ମ ଧମକ ମିଳିବ ତାହା କେହି କଳ୍ପନା କରିନଥିବେ । ଚଳିତ ଟି-୨୦ ବିଶ୍ୱ କପରେ ପାକିସ୍ତାନଠାରୁ ଭାରତୀୟ ଦଳ ଶୋଚନୀୟ ଭାବେ ହାରିବା ପରେ ଧମର୍କୁ ନେଇ ଅନଲାଇନ ଟ୍ରୋଲର ଶିକାର ହୋଇଥିବା ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଦୃଢ଼ ସମର୍ଥନ କରିଥିଲେ କୋହଲି । ଏଥିଲାଗି କିଛି ଅସାମାଜିକ ବ୍ୟକ୍ତି ତାଙ୍କ ୧୦ ମାସର ଝିଅ ବାମିକାକୁ ଦୁଷ୍କର୍ମ ଧମକ ଦେବା ଭଳି ଲଜ୍ଜାଜନକ ଓ ନିନ୍ଦନୀୟ ଘଟଣା ପଦାକୁ ଆସିଛି । କୋହଲି ଜଣେ ମୁସଲିମ ସମ୍ପ୍ରଦାୟର କି୍ରକେଟରଙ୍କ ସପକ୍ଷରେ ବାହାରିବା ସେମାନଙ୍କୁ ଆଦୌ ପସନ୍ଦ ଆସିନି । ଟ୍ୱିଟରରେ ସେଥିପାଇଁ କୁନି ଝିଅ ବାମିକାକୁ ଧମକ ଦେଇ ସେମାନେ ନିଜ ରାଗ ଶାନ୍ତ କରିବାର ଅପଚେଷ୍ଟା କରିଛନ୍ତି । ଏପରି ଅଭଦ୍ର ଟ୍ୱିଟ ପରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ ହକଙ୍କ ସମେତ ଅନେକ ତୀବ୍ର ସମାଲୋଚନା କରିଛନ୍ତି । ଭାରତ ହାରିଲା ବୋଲି କିଛି ଲୋକ କୋହଲିଙ୍କ ଝିଅକୁ ଧମକ ଦେବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଇଞ୍ଜାମାମ ଲେଖିଛନ୍ତି । ଲୋକେ ଭୁଲିଯାଉଛନ୍ତି ଯେ ଏହା ଏକ ଖେଳ । ଖେଳରେ ହାରଜିତ ଏକ ଅଂଶ । କୋହଲି ଯଦି ଭଳ ଖେଳୁନାହାନ୍ତି କି ଭଲ କ୍ୟାପଟେନ ନୁହଁନ୍ତି, ତେବେ ତାଙ୍କୁ ସମାଲୋଚନା କରିପାର କିନ୍ତୁ ତାଙ୍କ ପରିବାରକୁ ନିଶାଣ କରିବାର କାହାର ଅଧିକାର ନାହିଁ ବୋଲି ଇଞ୍ଜାମାମା ତାଙ୍କ ୟୁଟୁ୍ୟବ ଚାନେଲରେ କହିଛନ୍ତି ।