ଅଭ୍ୟାସ ମ୍ୟାଚ : ପଶ୍ଚିମ ଅଷ୍ଟ୍ରେଲିଆ ଏକାଦଶକୁ ହରାଇଲା ଭାରତ

Oct 10, 2022 - 10:07
 49
ଅଭ୍ୟାସ ମ୍ୟାଚ : ପଶ୍ଚିମ ଅଷ୍ଟ୍ରେଲିଆ ଏକାଦଶକୁ ହରାଇଲା ଭାରତ
ପର୍ଥ : ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆରେ ଅଭ୍ୟାସ ମ୍ୟାଚ ଖେଳିଛି ଟିମ୍‌ ଇଣ୍ଡିଆ । ପଶ୍ଚିମ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚକୁ ଭାରତ ୧୩ ରନରେ ବିଜୟୀ ହୋଇଛି । ଏହି ବିଜୟ ସହ ଭାରତ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତି ଆରମ୍ଭ କରିଛି । ଭାରତ ପକ୍ଷରୁ ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବ ୫୨ କରିଥିବା ବେଳେ ବୋଲିଂ ଅର୍ଶଦୀପ ସିଂ ୩ ଉଇକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିୟମିତ ଓପନର କେଏଲ ରାହୁଲ ଏହି ମ୍ୟାଚରେ ଉପଲବ୍ଧ ନଥିବାରୁ ଋଷଭ ପନ୍ତ ଅଧିନାୟକ ରୋହିତଙ୍କ ସହ ପାରି ଆରମ୍ଭ କରିଥିଲେ । ଉଭୟ ପଶ୍ଚିମ ଅଷ୍ଟ୍ରେଲିଆ ଏକାଦଶ ବୋଲରଙ୍କ ଆଗରେ ସଂଘର୍ଷ କରିଥିଲେ । ରୋହିତ ୩ ରନ କରି ଆଉଟ୍‌ ହୋଇଥିବା ବେଳେ ପନ୍ତ ୧୭ ବଲରେ ୯ରନ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଦୀପକ ହୁଡା ୨୨ ରନ କରିଥିବା ବେଳେ ସୂର୍ଯ୍ୟକୁମାର ୫୨, ହାର୍ଦ୍ଦିକ ପାଣ୍ଡ୍ୟା ୨୭ ଓ ଦିନେଶ କାର୍ତ୍ତିକ ୧୯ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୮ ରନ କରିଥିଲା । ଏହାର ଜବାବରେ ପଶ୍ଚିମ ଅଷ୍ଟ୍ରେଲିଆ ଦଳ ୮ ଉଇକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ ହୋଇଥିଲା । ଏଥି ସହିତ ଭାରତ ଏହି ମ୍ୟାଚକୁ ୧୧ ରନରେ ଜିତି ନେଇଥିଲା । ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ୩ ଉଇକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ଚହଲ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଅଲରାଉଣ୍ଡର ଅକ୍ଷର ପଟଲେ ମହାଙ୍ଗା ସାବ୍ୟସ୍ତ ହୋଇଥିଲେ । ବୁଧବାର ଦିନ ଭାରତ ତା'ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଖେଳିବ । ଏହି ମ୍ୟାଚରେ କେଏଲ ରାହୁଲ ଓ ବିରାଟ କୋହଲି ଖେଳିବାର ସମ୍ଭାବନା ରହିଛି ।