ସ୍ୱର୍ଣ୍ଣ ପରେ ଏବେ ବ୍ରୋଞ୍ଚ ଜିତି ଇତିହାସ ରଚିଲେ ଅବନି ଲେଖଡ଼ା

Sep 3, 2021 - 07:21
 62
ସ୍ୱର୍ଣ୍ଣ ପରେ ଏବେ ବ୍ରୋଞ୍ଚ ଜିତି ଇତିହାସ ରଚିଲେ ଅବନି ଲେଖଡ଼ା
ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ରେ ମହିଳା ବର୍ଗର ‘୫୦ ମିଟର୍‌ ରାଇଫଲ୍‌ ୩ପି ଏସ୍‌ଏଚ୍୧’ ବିଭାଗରେ ଅବନି ଲେଖଡ଼ା ବ୍ରୋଞ୍ଚପଦକ ହାସଲ କରିଛନ୍ତି। ପୂର୍ବରୁ ଅବନି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ | ଆଉ ଆଜି ବ୍ରୋଞ୍ଚ ପଦକ ଜିତିବା ପରେ ସେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି | ଅବନି ପ୍ରଥମ ମହିଳା ଖେଳାଳି ହୋଇପାରିଛନ୍ତି ଯିଏ କି ପାରାଲିମ୍ପିକ୍ସ୍‌ରେ ଦୁଇଟି ପଦକ ଜିତିପାରିଛନ୍ତି | ଆଉ ଅବନି ବ୍ରୋଞ୍ଚ ଜିତିବା ପରେ ପାରାଲିମ୍ପିକ୍ସ୍‌ରେ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି | ସୂଚନା ଥାଉ କି ମାତ୍ର ୧୧ ବର୍ଷର ହୋଇଥିଲା ବେଳେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିବା ପରେ ତାଙ୍କର ଶରୀର ଅଣ୍ଟାଠାରୁ ତଳକୁ ସଂପୂର୍ଣ୍ଣ ଅକାମି ହୋଇଗଲା। ଜୀବନ ବି ଏକପ୍ରକାର ହୁଇଲ୍ ଚେୟାରରେ ଆବଦ୍ଧ ହୋଇ ଯାଇଥିଲା। ହେଲେ ଏଥିରେ ହାରି ଯାଇ ନଥିଲା ସେ। ନିଜ ଅକ୍ଷମତାକୁ ଶକ୍ତି ଓ ସାମର୍ଥରେ ପରିଣତ କରି ବନ୍ଧୁକ ଚାଳନାରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିଲେ । ଆଜି ଅବନୀ ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଏହି ୧୯ ବର୍ଷୀୟା କିଶୋରୀ ଟୋକିଓ ପାରାଲିମ୍ପିକ୍ସର ମହିଳା ୧୦ ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ପଦକ ସହ ୫୦ ମିଟର ରାଇଫଲରେ ବ୍ରୋଞ୍ଚ ପଦକ ଜିତିଛନ୍ତି।