କୋରାଇ ବିଜେଡ଼ିରେ ବିଦ୍ରୋହ

Apr 5, 2019 - 04:17
 181
କୋରେଇ,୩/୪(ସକାଳଖବର): ଗତକାଲି କୋରାଇ ବିଧାନସଭା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି । କୋରାଇର ବର୍ତମାନ ବିଧାୟକ ଆକାଶ ଦାସନାୟକଙ୍କ ବଦଳରେ ବିଜେଡ଼ି ସୁପ୍ରିମୋ ଯାଜପୁର ଜିଲ୍ଲାର ପ୍ରାକ୍ତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ବଳଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି । ତେବେ ଏନେଇ କୋରାଇ ବିଜେଡ଼ି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ସହ ଅଶୋକଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଆଜି କୋରାଇ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡ଼ି କର୍ମୀ ପାଣିକୋଇଲି ସ୍ଥିତ ମା’ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଏକାଠି ହୋଇଥିଲେ । ବିଜେଡ଼ିର କୋରାଇ ବ୍ଲକ୍ ସଭାପତି ଭକ୍ତବସôଳ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରାଇ ବ୍ଲକ୍ର ସମସ୍ତ ୨୮ ପଂଚାୟତ ସମତେ ବ୍ୟାସନଗର ପୌରପରିଷଦ ଓ ରସୁଲପୁର ବ୍ଲକ୍ର ୯ଟି ପଂଚାୟତର ତୁଙ୍ଗ ନେତା ଓ କର୍ମୀ ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଅଶୋକ ବଳଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବା ସହିତ କେଉଁ ଆଧାରରେ ଦଳର ହାଇକମାଣ୍ଡ ବିଧାୟକଙ୍କ ଶ୍ରୀ ଦାସ ନାୟକଙ୍କ ଟିକେଟ କାଟିଛନ୍ତି ସେ ନେଇ କର୍ମୀମାନେ ପ୍ରଶ୍ନ ଉଠାଇଥିଲେ । ୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧରଣୀ ଘଡାଇ ଏନେଇ ପୁନଃବିଚାର କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବା ସହିତ ଆକାଶଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯିବା ଦାବି ନେଇ ନବିନ ନିବାସରେ ପହଁଚିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ହାଇକମାଣ୍ଡ ଏହାର ପୁନଃବିଚାର ନକଲେ ନିର୍ବାଚନ ପୂର୍ବରୁ କୋରାଇ ନିର୍ବାଚନ ମଣ୍ଡଳୀର ସମସ୍ତ ଦଳୀୟ କର୍ମକର୍ତା ନିଜ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ସମୂହ ଇସ୍ତଫା ଦେବା ସହିତ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇ ସମର୍ଥନ ଜଣାଇବେ । ବ୍ୟାସନଗର ପୂର୍ବତନ ଉପାଧ୍ୟକ୍ଷ ସୁବାସ ବଳ ଯୋଗଦେଇ କହିଥିଲେ ଯେ ଶ୍ରୀ ଦାସ ନାୟକଙ୍କ ନେତୃତ୍ୱରେ କୋରେଇ ବିକାଶମୂଖା ହୋଇଛି । ଦଳୀୟ ଗଣତନ୍ତ୍ରକୁ ହତ୍ୟା କରି ଷଡ଼ଯନ୍ତ୍ର କରାଯାଇ ଆକାଶଙ୍କ ଟିକେଟ କାଟିଥିବା କୁଚକ୍ରୀ ମାନଙ୍କୁ ନିର୍ବାଚନରେ ଉଚିତ୍ ଜବାବ ଦିଆଯିବ ବୋଲି କହିଥିଲେ । ରାଜ୍ୟ ଯୁବ ବିଜେଡି ସମ୍ପାଦକ ପ୍ରୀତିରଂଜନ ସାହୁ(ଲିପା) ଯୋଗଦେଇ କହିଥିଲେ ଯେ ଟିକେଟ ଦିଆଯାଇଥିବା ଶ୍ରୀ ବଳ ପୂର୍ବରୁ ଡଙ୍କାରି ଲୁଟ୍ ଠାରୁ ଆରମ୍ଭ କରି ମାଙ୍ଗାନିଜ ଚାଲାଣ ଭଳି ବହୁ ବିବାଦରେ ଜଡ଼ିତ ଥିବା ବେଳେ ସେଭଳି ଜଣେ ପ୍ରାର୍ଥୀଙ୍କୁ ଅପ୍ରତ୍ୟାସିତ ଭାବରେ କୋରାଇବାସୀଙ୍କ ଉପରେ ଲଦି ଦିଆଯାଇଥିବା କହିଥିଲେ । କୋରାଇ ନିର୍ବାଚନ ମଣ୍ଡଳୀରେ ଶ୍ରୀ ବଳଙ୍କର କୌଣସି ସଙ୍ଗଠନ ନଥିବା ସହିତ କୋରାଇବାସୀଙ୍କ ସୁଖଦୁଃଖରେ ସେ କେବେ ନିଜକୁ ସାମିଲ କରିନାହାଁନ୍ତି । ବିଧାୟକ ଶ୍ରୀ ଦାସ ନାୟକ ୫ ବର୍ଷ ଧରି କୋରେଇବାସୀଙ୍କ ସେବା କରିଥିବା ସହିତ ସାଧାରଣ ଲୋକଙ୍କ ପ୍ରୀୟଭାଜନ ହୋଇପାରିଛନ୍ତି । ଏପରିକି ଦଳୀୟ ସଙ୍ଗଠନକୁ ସୁଦୃଢ କରିଥିବା ବେଳେ କିଛି ସ୍ୱାର୍ଥନିଷ୍ଟ ବ୍ୟକ୍ତି ନିଜର ବ୍ୟକ୍ତଗତ ଫାଇଦା ପାଇଁ କୋରାଇବାସୀଙ୍କୁ ଭୂଆଁ ବୁଲାଇବା ସହିତ ଜଣେ ଅପାରଗ ବ୍ୟକ୍ତିଙ୍କୁ ଟିକେଟ ଦେବାରେ ସହାୟ ହୋଇଛନ୍ତି । ଏହାର ଜବାବ ଆଗାମୀ ନିର୍ବାଚନରେ କୋରେଇବାସୀ ନିଶ୍ଚିତ ଦେବେ ବୋଲି ଶ୍ରୀ ସାହୁ କହିଥିଲେ ।