ଓଡ଼ିଶାରେ ଅପରାଜିତା, ସ୍ୱାଗତ ଫିକା

Nov 29, 2018 - 14:34
 220
ଓଡ଼ିଶାରେ ଅପରାଜିତା, ସ୍ୱାଗତ ଫିକା
ଭୁବନେଶ୍ୱର, ୨୯/୧୧(ସକାଳଖବର): ସଦ୍ୟ ବିଜେପିରେ ଯୋଗ ଦେଇଥିବା ୧୯୯୪ ମସିହା ବ୍ୟାଚ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଅଧିକାରିଣୀ ଅପରାଜିତା ଷଡ଼ÿଙ୍ଗୀ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ଦୀର୍ଘ ୧୧ ବର୍ଷର ଅବଶିଷ୍ଟ ଚାକିରୀ ଜୀବନ ଜଳାଞ୍ଜଳି ଦେଇ ରାଜନୀତିରେ ଅପରାଜିତାଙ୍କ ଯୋଗଦାନ ସାଧାରଣରେ ଯେତିକି ଉତ୍ସୁକତା ସୃଷ୍ଟି କରିଛି, ଆଜି ଭୁବନେଶ୍ୱରରେ ସେ ପହଞ୍ଚିବା ଦଳୀୟ କର୍ମୀଙ୍କ ମହଲରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇନଥିବା ଦେଖାଯାଇଥିଲା । ଦଳର ସେଭଳି କୌଣସି ଅଗ୍ରଣୀ ନେତା ତାଙ୍କ ସ୍ୱାଗତ ପାଇଁ ବିମାନବନ୍ଦର ଯାଇନଥିବା ଦେଖାଯାଇଥିଲା । ଭୁବନେଶ୍ୱର ପହଞ୍ଚିବା ପରେ ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ତାଙ୍କ ଆଗମନ ପାଇଁ ସେଭଳି କୌଣସି କାର୍ଯ୍ୟକ୍ରମ ଆୟୋଜିତ ହୋଇନଥିଲା । ଏବେ ଭୁବନେଶ୍ୱରେ ବିଶ୍ୱ ହକି କପ୍ ଚାଲିଛି । ବିଶ୍ୱ ହକି କପ୍ ଉଦ୍ଘାଟନ ଦିନ ହିଁ ଅପରାଜିତା ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ପଦ୍ମଫୁଲ ଧରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥତି ଥିଲେ । ବିଶ୍ୱ କପ୍ ଉଦ୍ଘାଟନ ପାଇଁ ତାଙ୍କର ଏହି ଯୋଗଦାନ ପର୍ବ ଗଣମାଧ୍ୟମରେ ସେତେଟା ପ୍ରାଧାନ୍ୟ ପାଇପାରିନଥିଲା । ଆଶା କରାଯାଉଥିଲା ଭୁବନେଶ୍ୱର ପହଞ୍ଚିବା ପରେ ଘଟଣାର ପ୍ରସାର ପ୍ରଚାର ଜୋରଦାର ହୋଇପାରିବ । କିନ୍ତୁ ଆଜି ଦଳର ତାରକା ନେତାଙ୍କ ଅନୁପସ୍ଥିତି ଘଟଣାର ଗୁରୁତ୍ୱକୁ ହ୍ରାସ କରିଛି । ଏଠାରେ ପହଞ୍ଚିବା ପରେ ସେ ସଧାରଣ ଲୋକଙ୍କ ପାଇଁ କଠିନ ପରିଶ୍ରମ କରିବେ ବୋଲି କହିଛନ୍ତି । ଜଣେ ମହିଳା ହୋଇଥିବାରୁ ଆଜିର ଆଗମନ ଅବସରରେ ବିଜେପି ରାଜ୍ୟ ମହିଳା ଶାଖା ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ ବୋଲି ଆଶା କରାଯାଉଥିବାବେଳେ ତାହା ହୋଇପାରିନଥିଲା ।