କୋଇଲା ଖଣି ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୪ ହେଲା

Jul 31, 2019 - 08:19
 118
ଅନୁଗୋଳ, ୩୦/୭(ସକାଳଖବର): ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲର ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସିବା ଘଟଣାରେ ନିଖୋଜ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହାବଶେଷକୁ ଆଜି ଉଦ୍ଧାର କରାଯାଇଛି । ଫଳରେ ଦୁର୍ଘଟଣାଜନିତ ମୃତୁ୍ୟ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ତାଙ୍କର ଗୋଟିଏ ଗୋଡ ଓ ଅନ୍ତବୁଜୁଳାକୁ ଉଦ୍ଧାରକାରୀ ଟିମ୍ ମାଟିତଳୁ ଖୋଜି ବାହାର କରିଛି । ଏହାକୁ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେ ଏଠାରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାମ ରମେଶ ଦାଶ ଏବଂ ଘର ଲକେଇପଶି ଗ୍ରାମରେ ବୋଲି ଜଣାପଡିଛି । ପ୍ରକାଶ ଥାଉ କି, ଗତ ୨୩ ତାରିଖ ରାତି ପ୍ରାୟ ସାଢେ଼ ୧୦ଟା ସମୟରେ ଏମସିଏଲର ଭରତପୁର କୋଇଲା ଖଣିରେ ହଠାତ୍ ବ୍ଲାଂଷ୍ଟିଂ ଯୋଗୁଁ ପାହାଡ଼ ସଦୃଶ ମାଟି ଅତଡ଼ା ଧସି ଯାଇଥିଲା । ୧୩ ରୁ ଉଦ୍ଧ୍ୱର୍ ଶ୍ରମିକ ଏହା ତଳେ ଚାପି ହୋଇ ରହିଯାଇଥିଲେ । ୯ ଜଣ ଶ୍ରମିକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇପାରିଥିଲା । ଅନ୍ୟ ୪ ଜଣ ନିଖୋଜ ଥିଲେ । ଗତ ୨୪ ତାରିଖ ଦିନ ସେମାନଙ୍କ ମଧ୍ୟରୁ ଜଣକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତ ୨୬ ତାରିଖରେ ଆଉ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ସୁରକ୍ଷାକର୍ମୀ ରମେଶ ଦାଶ ନିଖୋଜ ଥିଲେ । ପୂର୍ବରୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କୋଇଲା ଖଣିର ସିନିୟର୍ ମ୍ୟାନେଜର ଭି.କେ. ସିଂହଙ୍କୁ ଏମସିଏଲ୍ ସିଏମଡି କାର୍ଯ୍ୟରୁ ନିଲମ୍ବନ କରିଥିଲେ ।