କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ରାଉରକେଲା ଇସ୍ପାତ କାରଖାନାରେ ପୁନଃନିର୍ମିତ ବ୍ଲାଷ୍ଟ ଫର୍ଣ୍ଣେସ-୧କୁ ରାଷ୍ଟ୍ରକୁ ସମର୍ପିତ କଲେ

Jun 12, 2018 - 17:29
 195
କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ରାଉରକେଲା ଇସ୍ପାତ କାରଖାନାରେ ପୁନଃନିର୍ମିତ ବ୍ଲାଷ୍ଟ ଫର୍ଣ୍ଣେସ-୧କୁ ରାଷ୍ଟ୍ରକୁ ସମର୍ପିତ କଲେ
ଭୁବନେଶ୍ୱର,୧୨/୬(ପିଆଇବି):କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ସେଲ, ରାଉରକେଲା ଇସ୍ପାତ କାରଖାନା (ଜଝଚ)ରେ ପୁନଃନିର୍ମିତ ବ୍ଲାଷ୍ଟ ଫର୍ଣ୍ଣେସ-୧ ‘ପାର୍ବତୀ’କୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ଜନଜାତି ବ୍ୟାପାରମନ୍ତ୍ରୀ ଜୁଏଲ ଓରାମ, ଇସ୍ପାତ ମନ୍ତ୍ରଣାଳୟର ସଚିବ ଡଃ ଅରୁଣ ଶର୍ମା, ଇସ୍ପାତ ମନ୍ତ୍ରଣାଳୟରେ ବିଶେଷ କାର୍ୟ୍ୟରେ ମୁତୟନ ହୋଇଥିବା ଅଧିକାରୀ ବିନୟ କୁମାର, ସେଲର ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ଥିଲେ । ‘ପାର୍ବତୀ’ ସେଲର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସ, ଯାହାକୁ କି ଦେଶର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ୧୯୫୯ ଫେବୃଆରୀ ୩ରେ ରାଷ୍ଟ୍ରକୁ ସମର୍ପିତ କରିଥିଲେ । ବ୍ଲାଷ୍ଟ ଫର୍ଣ୍ଣେସର ପୂର୍ଣ୍ଣ ନିର୍ମାଣ ପାଇଁ ଏହାକୁ ୨୦୧୩ ଅଗଷ୍ଟ ୬ ରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଥିଲା । ପୁରାତନ ଭିତ୍ତି ଉପରେ ନିର୍ମାଣ ହୋଇଥିଲେ ମଧ୍ୟ ଉନ୍ନତ ପ୍ରାଦ୍ୟୋଗିକୀ ଦ୍ୱାରା ପୁନଃନିର୍ମିତ ଫର୍ଣ୍ଣେସର ଉଚ୍ଚ ଉତ୍ପାଦନ କ୍ଷମତା ରହିଛି । ଏହି ନୂତନ ଫର୍ଣ୍ଣେସର ବାର୍ଷିକ ଉତ୍ପାଦନ କ୍ଷମତା ୦.୪୩୮ ମିଲିଅନ ଟନରୁ ବୃଦ୍ଧି ପାଇ ୧.୦୧୫ ମିଲିଅନ ଟନ ହୋଇଯାଇଛି । ମନ୍ତ୍ରୀ ଇସ୍ପାତ ଜେନେରାଲ ହସପିଟାଲର ସୁପର ସ୍ପେସିଆଲିଟି ବ୍ଲକର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆଧାରଶୀଳା ମଧ୍ୟ ସ୍ଥାପନ କରିଛନ୍ତି । ଏହି କ୍ଷେତ୍ରରେ ଏହା ହେଉଛି ଏକମାତ୍ର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ ସର୍ଜରୀ ୟୁନିଟ । ଏହା ଦ୍ୱାରା କେବଳ ରାଉରକେଲା ନୁହେଁ ବରଂ ଆଖପାଖ ଜିଲ୍ଲା ଏବଂ ରାଜ୍ୟର ଲୋକମାନଙ୍କ ଆବଶ୍ୟକତା ପୂରଣ ହେବ । ମନ୍ତ୍ରୀ ଆରଏସପିର ଆଧୁନିକ ନିୟୁ ପ୍ଲେଟ ମିଲ ଗସ୍ତ କରିଥିଲେ ଏବଂ ଏହାର ସାମନାରେ ଥିବା ପ୍ରଗତୀ ଉଦ୍ୟାନରେ ବୃକ୍ଷରୋପଣ କରିଥିଲେ ।