କେନ୍ଦ୍ର ସରକାରଙ୍କ ଯୋଜନାର ଅର୍ଥକୁ ବିଜୁ ଯୁବ ବାହିନୀର ସଭାପତିମାନଙ୍କ ହଡପ : ବିଜେପି

Jul 31, 2018 - 16:44
 156
କେନ୍ଦ୍ର ସରକାରଙ୍କ ଯୋଜନାର ଅର୍ଥକୁ ବିଜୁ ଯୁବ ବାହିନୀର ସଭାପତିମାନଙ୍କ ହଡପ : ବିଜେପି
ଭୁବନେଶ୍ୱର,୩୧/୭(ସକାଳଖବର): ପ୍ରଥମେ ଚୋରି ଏବଂ ତାପରେ ଦାଦାଗିରି । ଦିନକୁ ଦିନ ଶାସକ ବିଜେଡିର ବିରୋଧୀମାନଙ୍କ ପ୍ରତି ଅସହିଷ୍ଣୁତା ବଢି ବଢି ଚାଲିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଗରିବ କଲ୍ୟାଣ କଥା ପ୍ରଚାର କରୁଥିବା ସମୟରେ ଅନ୍ୟପଟେ ବିଜୁ ଯୁବ ବାହିନୀର ସଭାପତି ମାନେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଗରିବ କଲ୍ୟାଣ ଯୋଜନାର ଅର୍ଥକୁ ଆତ୍ମସାତ୍ କରିବା ଶ୍ରେଷ୍ଠ ପ୍ରଶାସକଙ୍କ ଭ୍ରଷ୍ଟାଚାରୀ ଶାସନର ଉଦାହରଣ ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ସ୍ୱଚ୍ଛ ଭାରତ ମିଶନରେ ପ୍ରକୃତ ହିତକାଧିକାରୀଙ୍କ ପାଇଁ ଆସିଥିବା କେନ୍ଦ୍ରୀୟ ଅର୍ଥକୁ ଶାସକ ବିଜେଡି ଦଳର ନେତାମାନେ ଖୋଲାଖୋଲି ଭାବେ ଆତ୍ମସାତ୍ କରୁଛନ୍ତି । ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଝାହାଡା ଗ୍ରାମର ଦଳିତ ସାହିର ଗରିବ ଲୋକଙ୍କ ପାଇଁ ଆସିଥିବା ‘ସ୍ୱଛ ଭାରତ ଗ୍ରାମୀଣ ଯୋଜନା’ ଅନୁଯାୟୀ ପାଇଖାନା ନିର୍ମାଣ କରିବା ଅର୍ଥକୁ ବିଜୁ ଯୁବ ବାହିନୀର ସଭାପତି ଶିବରାମ ପ୍ରଧାନ ଏବଂ ରଂଜନ କୁମାର ଦାସ ଚଂଚକତା କରି ଏହି ଗରୀବ ହିତାଧିକାରୀଙ୍କ ଅର୍ଥକୁ ନିଜ ଆକାଉଂଟକୁ ଟ୍ରାନ୍ସଫର କରାଇ ହଡପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସହସ୍ୟ ମହେଶ ମହାନ୍ତି ଏବଂ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।