ପାରାଦୀପ ସମେତ ଦେଶର ୪ ପିସିପିଆଇଆର ପ୍ରକଳ୍ପରେ ୭.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା
ଭୁବନେଶ୍ୱର,୩୧/୭(ସକାଳଖବର): ପାରାଦୀପ ସମେତ ଦେଶରେ ମୋଟ ୪ଟି ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଂଚଳ (ପିସିପିଆଇଆର) ପ୍ରତିଷ୍ଠା କରାଯାଉଛି । ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧,୮୨,୭୭୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଛି ବୋଲି କେନ୍ଦ୍ର ଯୋଜନା (ସ୍ୱାଧିନ) ଏବଂ ରସାୟନ ତଥା ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦରଜିତ ସିଂ ଏହି ସୂଚନା ଦେଇଛନ୍ତି ।
ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ, ପାରାଦୀପରେ ୨୮୪.୧୫ ବର୍ଗ କିଲୋମିଟର ଏରିଆରେ ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଂଚଳ ପ୍ରତିଷ୍ଠା କରାଯାଉଛି । ପାରାଦୀପ ପିସିପିଆଇଆରର ଅଗ୍ରପ୍ରମୂଖ ପ୍ରକଳ୍ପ ହେଉଛି ଭାରତୀୟ ତୈଳ ନିଗମ ଲିମିଟେଡର ତୈଳ ବିଶୋଧନାଗାର ଯାହାକି ଫେବୃଆରୀ ୨୦୧୬ରେ କାର୍ଯ୍ୟକ୍ଷମ କରାଯାଇଛି ଏବଂ ଏଥିରେ ୪୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ନିବେଶ କରାଯାଉଛି । ଇତିମଧ୍ୟରେ ପାରାଦୀପ ପିସିପିଆଇଆର ପ୍ରକଳ୍ପ ପାଇଁ ଚିଠା ମାଷ୍ଟର ପ୍ଲାନ ପ୍ରସ୍ତୁତି ଶେଷ ହୋଇଛି । ଏବେ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି ।
ଶ୍ରୀ ରାଓ କହିଲେ ଯେ, ଗୁଜରାଟର ଦହେଜ ପିସିପିଆଇଆର ପ୍ରକଳ୍ପ ପାଇଁ ବିକାଶ ଯୋଜନାକୁ ମଞ୍ଜୁରି ମିଳିଛି । ଏହାଛଡା ଏହି ପ୍ରକଳ୍ପକୁ ଗତ ବର୍ଷ ସେପ୍ଟେମ୍ବରରେ ଉପକୂଳ ଅଂଚଳ ଜୋନ ମଞ୍ଜୁରି ମଧ୍ୟ ମିଳିଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦହେଜ ପିସିପିଆଇଆର ପ୍ରକଳ୍ପ ପାଇଁ ୮୫,୯୨୮ କୋଟି ଟଙ୍କା ନିବେଶ କରାଯାଉଛି ଏବଂ ସେଠାରେ ୧.୩୨ ଲକ୍ଷ ଲୋକଙ୍କ ପାଇଁ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଉଛି ।
ଆନ୍ଧ୍ର ପ୍ରଦେଶର ବିଶାଖାପାଟନାମ୍ – କାକିନାଡା ପିସିପିଆଇଆର ପ୍ରକଳ୍ପ ପାଇଁ ୬୪୦ ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ୪୩,୭୪୪ କୋଟି ଟଙ୍କା ବିନିଯୋଗ କରାଯାଇ ୧.୧୧ ଲକ୍ଷ ଲୋକଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରାଯାଉଛି । ଏହି ପ୍ରକଳ୍ପ ପାଇଁ ଚିଠା ମାଷ୍ଟର ପ୍ଲାନ ପ୍ରସ୍ତୁତି ଏବଂ ପ୍ରକାଶନ କରାଯାଇଛି । ତା’ଛଡା ଏହାର ପରିବେଶ ପ୍ରଭାବ ମୂଲ୍ୟାଙ୍କନ ସର୍ଭେ ମଧ୍ୟ ସରିଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଓ ଇନ୍ଦରଜିତ ସିଂ କହିଛନ୍ତି ।
ସେହିଭଳି ତାମିଲନାଡୁର କୁଡାଲୁର ଓ ନାଗପଟ୍ଟିନାମ୍ ପିସିପିଆଇଆର ପ୍ରକଳ୍ପ ୨୫୭ ବର୍ଗ କିଲୋମିଟର ଅଂଚଳରେ ପ୍ରତିଷ୍ଠା ହେବ ଏବଂ ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ୮,୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଦେଶର ଏହି ୪ଟି ଯାକ ପିସିପିଆଇଆର ପ୍ରକଳ୍ପରେ ମୋଟ ୭.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସମ୍ପୂର୍ଣ୍ଣ ହେଲେ ମୋଟ ଉପରେ ୩୩.୯୬ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।