ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରିପଦା ଗସ୍ତ ଜାନୁଆରୀ ୫ରେ

Dec 23, 2018 - 13:58
 204
ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରିପଦା ଗସ୍ତ ଜାନୁଆରୀ ୫ରେ
ବାରିପଦା, ୨୩/୧୧(ସକାଳଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୫ ଦିବା ୧୨ଟା ସମୟରେ ଦୁଇ ଘଂଟିଆ ବାରିପଦା ଗସ୍ତରେ ଆସୁଛନ୍ତି । ଉକ୍ତ ଗସ୍ତକୁ ସଫଳ କରାଇବା ନିମନ୍ତେ ଆଜି ବାରିପଦା ବାରିପଦା-ଉଦଳା ରାସ୍ତା ପାଶ୍ୱର୍ରେ ଥିବା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ବିଜେପିର ମୟୂରଭଞ୍ଜ ଜିଲ୍ଲା ପୂର୍ବ ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆୟୋଜନ ପୂର୍ବରୁ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ସୂଚନା ଦେଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ମୋଦି ବାରିପଦାରେ କେଉଁଠାରେ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ଏବଂ କାର୍ଯ୍ୟକ୍ରମରେ ଏଜେଣ୍ଡା କଣ ରହିବ ସେ ସମ୍ପର୍କରେ ବର୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତି ଗ୍ରହଣ କରାଯାଇ ପାରି ନାହିଁ । ତେବେ ବାଲେଶ୍ୱର, ଭଦ୍ରଖ, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାଗୁଡ଼ିକର ନେତା, କର୍ମକର୍ତାମାନଙ୍କ ସହିତ ଆଲୋଚନା ପରେ ଏବିଷୟରେ ଚୂଡ଼ାନ୍ତ ନିର୍ଣ୍ଣୟ କରାଯାଇ ପାରି ନାହିଁ । ଉକ୍ତ ସଭାକୁ ୫ଟି ସାଙ୍ଗଠନିକ ଜିଲ୍ଲା ଅଧୀନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ରହିଥିବା ୭୨୮୧ ବୋଥରୁ ବିଜେପିର ଲକ୍ଷ ଲକ୍ଷ ସମର୍ଥକମାନେ ଆସିବେ । ତେଣୁ ଆଜିର ଏହି ପ୍ରସ୍ତୁତି ବୈଠକରେ ସ୍ଥାନ, ପାର୍କିଂ ଓ ଗମନାଗମନର ସୁବିଧା ଆଦି ବିଭିନ୍ନ ଦିଗ ବିଚାରକୁ ନେଇ ସ୍ଥାନ ନିର୍ଦ୍ଧାରିତ ହେବ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବାରିପଦା ଗସ୍ତ ସମୟରେ ଏନଏଚଏଆଇ ଓ ଅଏଲ କମ୍ପାନୀର କେତେକ କାର୍ଯ୍ୟକ୍ରମକୁ ଲୋକାର୍ପଣ କରାଇବେ । ଏଥିସହିତ ଓଡ଼ିଶାବାସୀଙ୍କୁ ନିମନ୍ତେ କିଛି ଉପହାର ଧରି ଆସୁଛନ୍ତି, ଯାହା ଓଡ଼ିଶା ତଥା ଓଡ଼ିଆମାନଙ୍କ ପ୍ରଗତିର ଏକ ମାଇଲ ଖୁଣ୍ଟ ଭାବେ କାର୍ଯ୍ୟକରିବ । ସେହିପରି ବିଜେପିର ମିଶନ -୧୨୦ର ସଫଳତା ନିମନ୍ତେ ଉପସ୍ଥିତ ନେତା ଓ କର୍ମୀ ଆଦିଙ୍କୁ ଗୁରୁମନ୍ତ୍ର ଶୁଣାଇବା ସଂଗେସଂଗେ ଦିଗଦର୍ଶନ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବିସ୍ତୃତ ବିବରଣୀ ପରବର୍ତି ସମୟରେ ଗଣମାଧ୍ୟମକୁ ଜଣାଇ ଦିଆଯିବ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ପଣ୍ଡା ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେବାପରେ ମୟୂରଭଞ୍ଜ ଜିଲ୍ଲାରେ କୌଣସି ବୃହତ ଅଥବା କ୍ଷୁଦ୍ର ଶିଳ୍ପ ନାହିଁ, ପୁଣି ଜିଲ୍ଲାରେ ରେଳପଥର ବିକାଶ ମଧ୍ୟ ହୋଇପାରି ନାହିଁ । ଜିଲ୍ଲାବାସୀଙ୍କ ଦାବି ଅନୁସାରେ ଜିଲ୍ଲାରେ ରେଳପଥର ବିକାଶ, ଟାଟା ସହିତ ମୟୂରଭଞ୍ଜ ରେଳପଥର ସଂଯୋଗିକରଣ, ନୂତନ ଟ୍ରେନ ଚଳାଚଳ ଓ ଜିଲ୍ଲାବାସୀଙ୍କ ବୃହତ ସ୍ୱାର୍ଥ ସାଧନ ନିମନ୍ତେ ପ୍ରଧାନମନ୍ତ୍ରୀ କିଛି ଘୋଷଣା କରିବେ କି ବୋଲି ପ୍ରଶ୍ନକୁ ଚତୁରତାର ସହିତ ଏଡ଼ାଇ ଯାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଷଢ଼ଙ୍ଗୀ ଓ ମନମୋହନ ସାମଲ, ରାଜ୍ୟ ଉପସଭାପତି ରାଜ କିଶୋର ଦାସ, ଜୀବନ ସାହୁ, କେନ୍ଦୁଝର ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ଭଦ୍ରଖ ଜିଲ୍ଲା ସଭାପତି ବଦ୍ରି ଧଳ, ବାଲେଶ୍ୱର ଜିଲ୍ଲା ସଭାପତି ମଦନ ମୋହନ ଦତ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଷ୍ଣୁ ସେଠୀ, ପୂର୍ବତନ ସାଂସଦ ଅନ୍ତ ନାୟକ, ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି, ମଳୟ ଜେନା, ନରୋତମ ପାଣିଗ୍ରାହୀ, ପ୍ରଦୀପ ମହାନ୍ତି, ଲକ୍ଷ୍ମୀଧର ହାବଡ଼ା, କାନ୍ଦ୍ରା ସୋରେନ, ଭାସ୍କର ମଢେ଼ଇ, ପୁରୁଷୋତମ ନାୟକ ପ୍ରମୁଖ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।