କାର୍ଯ୍ୟ ସ୍ଥଳୀରେ ମହିଳାଙ୍କ ଯୌନ ଉତ୍ପୀଡନ; ବିଶାଖା ଗାଇଡ୍ ଲାଇନ ଏକ କବଚ
ମଇ ମାସ ୧୯୯୨ ମସିହା ରାଜସ୍ଥାନ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗରେ ନିଯୁକ୍ତି ପାଆନ୍ତି ଭଇଁରୀ ଦେବୀ; ଜଣେ ମହିଳା ସାଥି ଭାବରେ । ମହିଳା ସାଥୀଙ୍କ କାମ ହେଲା ଲୋକମାନଙ୍କୁ ସଫାସୁତୁରା ରହିବା ପାଇଁ ସଚେତନ କରାଇବା, ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା, ମହିଳାଙ୍କ ଶିକ୍ଷାର ଉନ୍ନତି ସାଙ୍ଗକୁ ଭୃଣ ହତ୍ୟା ଏବଂ ବାଲ୍ୟବିବାହ ବନ୍ଦ କରିବା ଇତ୍ୟାଦି । ଜୟପୁରରୁ ୪୫ କିଲୋମିଟର ତଥା ଆଗ୍ରା ଦିଲ୍ଲୀ ଜାତୀୟ ରାଜପଥରୁ ୧୦ କିଲୋମିଟର ଦୂରରେ ଭଇରୀ ଦେବୀଙ୍କ ଗାଁ । ଗାଁ ରେ ବେରୱା ସହିତ ଗୁଜ୍ଜର ସମାଜର ଜନସଂଖ୍ୟା ଅଧିକ । କିନ୍ତୁ ଭଇରୀ ଦେବୀ ଥିଲେ କୁମ୍ଭାର (ଓବିସି) ସମ୍ପ୍ରଦାୟର । ଯାହାଙ୍କର ମୂଳ କାମ ଥିଲା ମାଟି ପାତ୍ର ତିଆରି କରିବା ଆଉ ମଇଁଷି କ୍ଷୀର ବିକ୍ରି କରି ଗୁଜୁରାଣ ମେଣ୍ଟାଇବା । ଘରେ ସ୍ୱାମୀଙ୍କ ସହ ଦୁଇ ପୁଅ, ଦୁଇ ଝିଅ ସହିତ ରହୁଥିଲେ ଭଇଁରୀ ଦେବୀ । ସେହି ଗାଁ ର ଉଚ୍ଚ ଜାତିର ୯ ମାସ ଶିଶୁକନ୍ୟାର ବାହାଘର ବିଷୟରେ ଖବର ପାଆନ୍ତି ସେତେବେଳେ ସେ ଏହି ବାଲ୍ୟ ବିବାହ ଯେମିତି ବନ୍ଦ ହେବ ସେଥିପାଇଁ ବୁଝେଇବା ପାଇଁ ଚାଲି ଯାଆନ୍ତି । କିନ୍ତୁ ପରିବାର ଲୋକ ଏହା ନମାନିବାରୁ ସେ ବାଧ୍ୟ ହୋଇ ଜୟପୁର ଜିଲ୍ଲାପାଳଙ୍କୁ ଖବର ଦିଅନ୍ତି । ୫ ମଇ ୧୯୯୨ ମସିହାରେ ସେହି ଗାଁରେ ହେଉଥିବା ସାମୁହିକ ବାଲ୍ୟବିବାହକୁ ପ୍ରଶାସନ ମଧ୍ୟ ରୋକିବାରେ ବିଫଳ ହୁଏ । ଉଚ୍ଚଜାତି ଲୋକେ ଭଇଁରୀ ଦେବୀଙ୍କ ଏସବୁ ପ୍ରଗତିଶୀଳ କାମ ଦେଖି ତାଙ୍କୁ ଗାଁ ରୁ ସାମାଜିକ ବାସନ୍ଦ କରନ୍ତି । କେବଳ ସେତିକି ନୁହେଁ; ତାଙ୍କ ଘରେ ବିକ୍ରି ହେଉଥିବା ମାଟିପାତ୍ର ନକିଣିବା ପାଇଁ ବି ଗାଁ ଲୋକ ନିଷ୍ପତ୍ତି ନିଅନ୍ତି ଆଉ ତାଙ୍କ ଘରୁ ଗାଁ ଲୋକେ କ୍ଷୀର କିଣିବା ମଧ୍ୟ ବନ୍ଦ କରି ଦିଅନ୍ତି ।
୨୨ ସେପ୍ଟେମ୍ବର ୧୯୯୨ ମସିହା । ଭଇଁରୀ ଦେବୀ ଆଉ ତାଙ୍କ ସ୍ୱାମୀ ଗାଈ, ବାଛୁରୀଙ୍କ ପାଇଁ ଚାରା ଆଣିବା ସକାଶେ ବିଲକୁ ଯାଇଥାନ୍ତି । ସେହି ସମୟରେ ପାଞ୍ଚ ଜଣ ତଥାକଥିତ ଉଚ୍ଚଜାତିର ଲୋକ ଆସି ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦିଅନ୍ତି । ଦୁଇଜଣ ତାଙ୍କ ସ୍ୱାମୀଙ୍କ ଗଳା ଧରି ଅଟକାଇ ଦିଅନ୍ତି । ଆଉ ତିନିଜଣ ମିଶି ବାରମ୍ବାର ଭଇଁରୀ ଦେବୀଙ୍କୁ ବଳାତ୍କାର କରନ୍ତି । ଏସବୁ ପରେ ବି ଯଦି ସେ ବାଲ୍ୟବିବାହ ବନ୍ଦ କରିବା ଚେଷ୍ଟା କରନ୍ତି ତେବେ ଭଇଁରୀ ଦେବୀଙ୍କୁ ଜୀବନରୁ ମାରି ଦେବାକୁ ସେମାନେ ଧମକ ଦିଅନ୍ତି । କିନ୍ତୁ ଭଇଁରୀ ଦେବୀ ଏସବୁକୁ ଖାତିର ନକରି ନ୍ୟାୟ ପାଇବା ପାଇଁ ପୁଲିସ ପାଖକୁ ଯାଆନ୍ତି । କିନ୍ତୁ ଗାଁ ଲୋକଙ୍କ ଚାପରେ ପୁଲିସ FIR ଦର୍ଜ କରିବାରେ ଗୋଟେ ଦିନରୁ ଅଧିକ ସମୟ ନିଏ । ଡାକ୍ତରୀ ପରୀକ୍ଷା କରିବାରେ ମଧ୍ୟ ୫୨ ଘଣ୍ଟା ବିଳମ୍ବ ହୁଏ । ପରବର୍ତ୍ତୀ ସମୟରେ ମହିଳା ସଂଗଠନ ଚାପରେ କେସ୍ ଟିକୁ CBI କୁ ହସ୍ତାନ୍ତର କରାଯାଏ । ଘଟଣାର ଏକ ବର୍ଷ ପରେ ସେପ୍ଟେମ୍ବର ୧୯୯୩ ରାଜସ୍ଥାନ ହାଇକୋର୍ଟ ପାଞ୍ଚ ଜଣଙ୍କ ବେଲ୍ ଖାରଜ କରନ୍ତି । ଏବଂ ଅକ୍ଟୋବର ୧୯୯୪ ରେ ଅର୍ଥାତ ଦୀର୍ଘ ଦୁଇବର୍ଷ ପରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଏ । କିନ୍ତୁ ୧ ଡିସେମ୍ବର ୧୯୯୫ ମସିହାରେ ଜୟପୁର ଟ୍ରାଏଲ କୋର୍ଟଙ୍କ ଆଦେଶରେ ପାଞ୍ଚଜଣଙ୍କ ଭିତରୁ ଦୁଇଜଣ ବୃଦ୍ଧ ତେଣୁ ବୃଦ୍ଧ ହେବା କାରଣରୁ ସେମାନେ ବଳାତ୍କାର କରିପାରିବେ ନାହିଁ ତା ଛଡା ଅନ୍ୟ ତିନିଜଣ ଉଚ୍ଚ ଜାତିର ହୋଇଥିବାରୁ ସେମାନେ ନିଚ୍ଚ ଜାତିର ମହିଳାଙ୍କୁ ଛୁଅନ୍ତି ନାହିଁ ଏବଂ ବଳାତ୍କାର କରିବା ଅସମ୍ଭବ । ଏସବୁ କାରଣ ଦର୍ଶାଇ ୫ଜଣ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦିଅନ୍ତି ।
ପରବର୍ତ୍ତୀ ସମୟରେ ଏହି ଘଟଣା ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଏ । ବିଭିନ୍ନ ସଂଗଠନ, ମହିଳା ସାମାଜିକ କର୍ମୀମାନେ ଆନ୍ଦୋଳନ କରନ୍ତି
ଭଇଁରୀ ଦେବୀ ପୁଣି ରାଜସ୍ଥାନ ହାଇକୋର୍ଟରେ ୧୯୯୫ ମସିହାରେ ଅପିଲ କରନ୍ତି । କିନ୍ତୁ ପାଖା ପାଖି ତିନି ଦଶନ୍ଧି ହୋଇଥିଲେ ବି ଭଇଁରୀ ଦେବୀଙ୍କୁ ନ୍ୟାୟ ମିଳିପାରିଲା ନାହିଁ । ବର୍ତ୍ତମାନ ମଧ୍ୟ ଭଇଁରୀ ଦେବୀ ନ୍ୟାୟ ପାଇବା ଆଶାରେ ଲଢେଇ ଜାରୀ ରଖିଛନ୍ତି । ମହିଳାଙ୍କ ଅଧିକାର ପାଇଁ କାମ କରୁଥିବା ଏନଜିଓ ବିଶାଖା, ୱେମେନ ରିହେବିଲେଟସନ ଗ୍ରୁପ (ରାଜସ୍ଥାନ) ଏବଂ ଯାଗରି ଓ କାଲି (ଦିଲ୍ଲୀ) ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରନ୍ତି । ବିଶାଖା ଏନଜିଓ ଅନୁସାରେ, ଭଇଁରୀ ଦେବୀ ରାଜସ୍ଥାନ ସରକାରଙ୍କ ଏକ କର୍ତ୍ତବ୍ୟ ନିଷ୍ଠ କର୍ମଚାରୀ ଥିଲେ । ଭଇଁରୀ ଦେବୀ ନିଜର କର୍ତ୍ତବ୍ୟ କରିବା ସମୟରେ ଜାତିଗତ ହିଂସା ଓ ବଳତ୍କାରର ଶିକାର ହୋଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଆମ ଦେଶରେ କାର୍ଯ୍ୟରତ ଥିବା ମହିଳାଙ୍କ ସୁରକ୍ଷା ପାଇଁ କୌଣସି ପ୍ରକାର ଆଇନଗତ ପ୍ରବିଧାନ ନଥିଲା । ତେଣୁ ୧୯୯୭ ମସିହାରେ ମାନନୀୟ ସୁପ୍ରିମକୋର୍ଟ ପ୍ରଥମଥର ପାଇଁ କାର୍ଯ୍ୟ ସ୍ତରରେ କାର୍ଯ୍ୟରତ ମହିଳା ମାନଙ୍କ ସୁରକ୍ଷା ପାଇଁ ଶାରୀରିକ ନିର୍ଯ୍ୟାତନା ବିରୁଦ୍ଧରେ ' ବିଶାଖା ଗାଇଡ଼ ଲାଇନ' ଜାରି କଲେ । ଯାହା ପରବର୍ତ୍ତୀ ସମୟରେ sexual harassment of women at work place (prevention prohibition and redressal) Act ୨୦୧୩ ରେ ପରିଣତ ହେଲା ।
ଏହି କାନୁନ ହିସାବରେ ବର୍ତ୍ତମାନ କାର୍ଯ୍ୟସ୍ଥଳରେ କାର୍ଯ୍ୟରତ ମହିଳାଙ୍କ ସୁରକ୍ଷା ପାଇଁ ଭରପୁର ପ୍ରବିଧାନ ରହିଛି । ଭଇଁରୀ ଦେବୀ ନିଜର ଯୁଦ୍ଧ ନିଶ୍ଚୟ ହାରିଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । କାରଣ ପାଞ୍ଚଜଣ ଦୋଷୀଙ୍କ ମଧ୍ୟରୁ ଚାରିଜଣ ମୃତ୍ୟୁ ବରଣ କରିସାରିଲେଣି । ହେଲେ ତାଙ୍କ ସାହସ ଆଉ ଏବଂ ଚେଷ୍ଟା ବଳରେ ଆଜି କାର୍ଯ୍ୟରତ ମହିଳା ମାନଙ୍କ ପାଇଁ ସୁରକ୍ଷାର ସଂରଚନା କରିଛନ୍ତି । ସ୍ୱାଧୀନ ଭାରତର ୭୫ ବର୍ଷ ବିତିଯାଇଥିଲେ ବି ଭାରତର କୋଣ ଅନୁକୋଣରେ ଜାତିଗତ ହିଂସା, ଅନ୍ୟାୟ, ଅତ୍ୟାଚାର, ବଳାତ୍କାର ଭଳି ବହୁତ ଗୁଡିଏ ଘଟଣା ଘଟି ଚାଲିଛି । ଲୋକମାନଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଉପଲବ୍ଧି ହୋଇନାହିଁ ।
ଡାକ୍ତର ବିବେକାନନ୍ଦ ମହାନନ୍ଦ
ସମାଜ କର୍ମୀ
ମୋବାଇଲ: ୮୧୭୮୩୦୧୩୯୩