କଂଗ୍ରେସ ସମ୍ବିଧାନର କଣ୍ଠରୋଧ କରିଥିଲା: ସ୍ମୃତି ଇରାନୀ

Jun 26, 2018 - 19:11
 161
କଂଗ୍ରେସ ସମ୍ବିଧାନର କଣ୍ଠରୋଧ କରିଥିଲା: ସ୍ମୃତି ଇରାନୀ
ଭୁବନେଶ୍ୱର, ୨୬/୬( ସକାଳଖବର): ଆଜିଠୁ ଠିକ୍ ୪୩ ବର୍ଷ ପୂର୍ବେ ମଧ୍ୟ ରାତ୍ରି ସମୟରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରି କଂଗ୍ରେସ ଦଳ ଆମ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା । ଦେଶର ନିର୍ଦ୍ଧିଷ୍ଟ ଗୋଟିଏ ପରିବାର ପଦବୀ ଲାଭ ଆଶାରେ ଲକ୍ଷାଧିକ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳି ଦେଇଥିଲା । ଜଣେ ବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମର ସ୍ୱତନ୍ତ୍ରତା, ନ୍ୟାୟପାଳିକାର ସ୍ୱତନ୍ତ୍ରତା ସମେତ ମୈାଳିକ ଅଧିକାରକୁ ହତ୍ୟା କରାଯିବାର ପ୍ରୟାସ କରାଯାଇଥିଲା । ଯେଉଁମାନେ ଲୋକତନ୍ତ୍ରର ସଂରକ୍ଷଣ ପାଇଁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିଲେ ସେମାନଙ୍କ ବିରୁଦ୍ଧରେ ୨ଲକ୍ଷରୁ ଅଧିକ ମିଥ୍ୟା ଏତଲା ଦିଆଯାଇଥିଲା । ଲକ୍ଷାଧିକ ସଂଖ୍ୟାରେ ଆକ୍ରୋଶ ରାଜରାସ୍ତାରେ ଦେଖିବାକୁ ମିଳିଥିଲା । ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରୁଥିବାରୁ କିଛି ରାଜନୈତିକ ଦଳର ନେତା, ସତ୍ୟାଗ୍ରାହୀ, ବୁଦ୍ଧିଜୀବୀ ଏବଂ ପତ୍ରକାରମାନଙ୍କୁ ମିଶା ଆଇନ ବଳରେ ଜୋର ଜବରଦସ୍ତ ଜେଲକୁ ପଠାଇ ଦିଯାଇଥିଲା । ସେହି ଦିନଠାରୁ ଭାରତର ଗଣତନ୍ତ୍ରରେ ଆଜିର ଦିନକୁ କଳା ଦିବସ ଆଖ୍ୟା ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ଜରୁରୀ କାଳୀନ ପରିସ୍ଥିତିରେ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଦେଶର ବହୁ ବ୍ୟକ୍ତି ନିଜ ସ୍ୱାଧୀନତାକୁ ଜଳାଞ୍ଜଳୀ ଦେଇଥିଲେ । ଓଡିଶାର ମଧ୍ୟ ଅନେକ ନେତା ଏବଂ ସମାଜସେବୀଙ୍କୁ ମିଶା ଆଇନ ବଳରେ ଗିରଫ କରାଯାଇ ଜବରଦସ୍ତ ଜେଲକୁ ପଠାଇ ଦିଆଯାଇଥିଲା । ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ଅଗଣିତ ସଂଖ୍ୟାରେ ନାଗରିକ ଗଣତନ୍ତ୍ରର ସବୁଠୁ ବଡ ଲଢେଇରେ ସମ୍ବିଧାନର ସଂରକ୍ଷଣ ପାଇଁ ନିଜ ତରଫରୁ ବଳିଦାନ ତଥା ଯୋଗଦାନ ଦେଇଥିଲେ । ଓଡିଶାର ଥିବା ୯୦୦ରୁ ଉର୍ଦ୍ଧ ସତ୍ୟାଗ୍ରହୀ ଏବଂ ମିଶା ଅଇନ ବଳରେ ଗିରଫ ହୋଇଥିବା ୩୦୦ରୁ ଉର୍ଦ୍ଧ ସତ୍ୟାଗ୍ରହୀଙ୍କୁ ଶ୍ରଦ୍ଧା ପୂର୍ବକ ସମ୍ମାନ ଦେବାକୁ ଆସିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ୪୩ ବର୍ଷ ନିଜ ତରଫରୁ ବଳିଦାନ ଓ ଯୋଗଦାନ ଦେଇଥିବା ରାଜ୍ୟର ଅଗଣିତ ସତ୍ୟାଗ୍ରହୀଙ୍କୁ ସ୍ମରଣ କରି ଶ୍ରୀମତୀ ଇରାନି କହିଛନ୍ତି ଯେ, ଇତିହାସକୁ କେବେହେଲେ ଭୁଲି ହେବ ନାହିଁ । ତେଣୁ ସେହି ମହାନ୍ ବ୍ୟକ୍ତିଙ୍କୁ ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କ ତରଫରୁ ଧନ୍ୟବାଦ ଦେବା ସହ ସେମାନଙ୍କ ବଳିଦାନକୁ ସମ୍ମାନ ଦେଉଛୁ ବୋଲି ଶ୍ରୀମତୀ ଇରାନୀ କହିଛନ୍ତି । ଜରୁରୀକାଳୀନ ସମୟରେ ଗୋଟିଏ ଛାତ ତଳେ ଗଣମାଧ୍ୟମ ଏବଂ ରାଜନୈତିକ ଦଳ ନିଜ ନିଜ ମତ ପୋଷଣ କରିବାରେ ରୋକ୍ ଲଗାଯାଇଥିଲା । ସେହି ସମୟରେ ସାଧାରଣ ଜନତାଙ୍କୁ ତାଙ୍କର ମୈାଳିକ ଅଧିକାରରୁ ବଂଚିତ କରାଯିବା କାରଣରୁ ସମସ୍ତଙ୍କୁ ଶକ୍ତ ଧକ୍କା ଲାଗିଥିଲା । ଏହି କଳା ଦିବସକୁ ମନେ ପକାଇ ଭାରତର ସମସ୍ତ ନାଗରିକ ଏବଂ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତା ଗଣତନ୍ତ୍ରର ସଂରକ୍ଷଣ ପାଇଁ ଆଜି ସଂକଳ୍ପ ନେଇଛନ୍ତି ବୋଲି ଶ୍ରୀମତୀ ଇରାନୀ କହିଛନ୍ତି ।