ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ୍ ହେବେ ଏହି ଦୁଇ ଖେଳାଳି

Jan 30, 2022 - 14:18
 60
ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ୍ ହେବେ ଏହି ଦୁଇ ଖେଳାଳି
ନୂଆଦିଲ୍ଲୀ ୩୦।୦୧: ଆସନ୍ତା ୬ ତାରିଖରୁ ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍ ଆରମ୍ଭ ହେବାକୁ ଯାଉଛି। ତେବେ ତାମିଲନାଡୁର ବିସ୍ଫୋରକ ଟି-୨୦ ବ୍ୟାଟସମ୍ୟାନ ଶାହରୁଖ ଖାନ ଏବଂ ସାଥୀ ବାମହାତୀ ସ୍ପିନର ରବି ଶ୍ରୀନିବାସ ସାଇ କିଶୋରଙ୍କୁ ରିଜର୍ଭ ଖେଳାଳି ଭାବେ ଭାରତୀୟ ଦଳରେ ସାମିଲ୍ କରାଯାଇଛି। ଶାହରୁଖ ଏବଂ ସାଇ କିଶୋର ସୀମିତ ଓଭରର ଘରୋଇ ଟୁର୍ଣ୍ଣାମେଣ୍ଟରେ ତାମିଲନାଡୁର ସଫଳତାରେ ବଡ ଭୂମିକା ଗ୍ରହଣ କରିଥିଲେ। କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଖେଳାଳିଙ୍କୁ ପ୍ରତିଶେଷଧମୂଲକ ଭାବେ ଦଳରେ ସାମିଲ୍ କରାଯାଇଛି। ମୁଖ୍ୟ ଦଳରୁ ଯଦି କେହି କୋଭିଡ୍ ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ଏହି ଦୁଇ ଖେଳାଳି ଦଳ ପାଇଁ ବିକଳ୍ପ ହାେଇ ପାରିବେ। ଏହି ଦୁଇ ଖେଳାଳି ମୁଖ୍ୟ ଦଳର ଖେଳାଳିଙ୍କ ସହ ଜୈବ ନିରାପତ୍ତା ବଳୟ ବା ବାୟୋ ବବଲରେ ପ୍ରବେଶ କରିବେ। ଏ ନେଇ ବିସିସିଆଇ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ଭାରତୀୟ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ସୀମିତ ଓଭର ସିରିଜ୍‌ର ଆରମ୍ଭ ଦିନିକିଆ ମ୍ୟାଚ୍‌ରୁ ଆରମ୍ଭ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିନିକିଆ ସିରିଜ୍ ଏବଂ କୋଲକାତାର ଇଡେନ ଗାର୍ଡେନ୍ସରେ ଟି-୨୦ ସିରିଜ୍ ଖେଳାଯିବ। ସାଇ କିଶୋର ଗତ ବର୍ଷ କୋଚ୍ ରାହୁଲ ଦ୍ରାବିଡଙ୍କ ତତ୍ତ୍ଵାବଧାନରେ ଶ୍ରୀଲଙ୍କା ଗସ୍ତ କରିଥିବା ଭାରତୀୟ କ୍ରିକେଟ୍ ଦଳରେ ନେଟ୍ ବୋଲର ଥିଲେ। ସେ ଦ୍ଵିତୀୟ ଥର ଜାତୀୟ ଦଳର ସାମିଲ୍ ହେଉଛନ୍ତି। ଶାହରୁଖ ଗତ କିଛି ସମୟ ହେବ ଜାତୀୟ ଦଳରେ ସାମିଲ୍ ହେବା ଦୌଡରେ ଅଛନ୍ତି। ଏହି ସିଜିନରେ କର୍ଣ୍ଣାଟକ ବିପକ୍ଷ ସୈୟଦ ମୁସ୍ତାକ ଅଲୀ ଟ୍ରଫିର ଫାଇନାଲ୍‌ ମ୍ୟାଚ୍‌ରେ ଶେଷ ବଲ୍‌ରେ ଛକା ମାରି ତାମିଲନାଡୁକୁ ଚାମ୍ପିଅନ କରାଇଥିଲେ। ଏହି ମ୍ୟାଚ୍‌ରେ ସାଇ କିଶୋର ମଧ୍ୟ ତିନି ଓ୍ଵିକେଟ୍ ନେଇଥିଲେ।