ଓଡ଼ିଶା ଫେରିଲେ ରୌପ୍ୟରାଣୀ, ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Aug 31, 2018 - 17:58
 201
ଓଡ଼ିଶା ଫେରିଲେ ରୌପ୍ୟରାଣୀ, ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଭୁବନେଶ୍ୱର,୩୧/୮ (ସକାଳଖବର): ଏସିଆନ ଗେମ୍ସରେ ଦୁଇ ଦୁଇଟି ରୌପ୍ୟ ପଦକ ପାଇ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗର୍ବ ଆଣିଦେଇଥିବା ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ଆଜି ଦିଲ୍ଲୀରୁ ଫେରିଛନ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ତାଙ୍କୁ ବିଭିନ୍ନ କ୍ରୀଡ଼ାପ୍ରେମୀ, ସାଧାରଣ ଲୋକେ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଦେଇଥିଲେ । ମେୟର ଅନନ୍ତ ନାରାୟଣ ଜେନା, ଖଣି ନିଗମର କର୍ମଚାରୀ ଅଧିକାରୀ, କ୍ରୀଡ଼ା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅନୁରୂପ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସାମ୍ବାଦିକ ମାନଙ୍କର କେତେକ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ଏସିଆନ ଗେମସରେ ତାଙ୍କର ସଫଳତା ପାଇଁ ସେ ଖୁସି ଅଛନ୍ତି । କ୍ରମାଗତ ଭାବେ ଦୁଇଟି ଇଭେଂଟରେ ଦ୍ୱିତୀୟ ସ୍ଥାନରେ ରହିବା ତାଙ୍କ ପାଇଁ ଆନନ୍ଦର ବିଷୟ । ତେବେ ଆଗାମୀ ଦିନରେ ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକରେ ଆଉ ଅଧିକ ସଫଳତା କିପରି ମିଳିବ ସେଥିପାଇଁ ସେ ଏବେଠାରୁ ଉଦ୍ୟମ ଜାରି ରଖିବେ । ଏସିଆନ ଗେମସ ଯିବାପୂର୍ବରୁ ରାଜ୍ୟ ସରକାରଙ୍କର ଶୁଭେଚ୍ଛା ନେଇ ଯାଇଥିଲେ । ମୁଖ୍ୟମନ୍ତ୍ରୀ ପୁରସ୍କାର ବାବଦରେ ଯାହା ଘୋଷଣା କରିଛନ୍ତି ସେ ସେଥିରେ ଖୁସି ଅଛନ୍ତି । ଓଡ଼ିଶା ଫେରିବା ଅବସରରେ ଦୂତୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ସମ୍ବର୍ଦ୍ଧିତ କରିଥିଲେ । ଦୂତୀଙ୍କୁ ୩ କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ । ଏହା ବ୍ରତୀତ ଧାବିକା ଚାନ୍ଦଙ୍କର କୋଚ ଏନ. ରମେଶଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଏହି ଆୟୋଜିତ ଉତ୍ସବରେ କ୍ରୀଡ଼ା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।