ଏସ୍ସିବି: ବିକ୍ଷୋଭ ଉପରେ ଅଙ୍କୁଶ ପାଇଁ ମାମଲା
କଟକ, ୩୧ ।୫(ସକାଳଖବର): ଏସସିବି ମେଡିକାଲ କଲେଜ ପରିସରରେ କୌଣସି ପ୍ରକାର ସଭା ସମିତି, ବିକ୍ଷୋଭ, ଶୋଭାଯାତ୍ରା ଆୟୋଜନ ଉପରେ ଅଙ୍କୁଶ ଲଗାଇବା ପାଇଁ ହାଇକୋର୍ଟରେ ସମାଜସେବୀ ଅଚୁ୍ୟତାନନ୍ଦ ସ୍ୱାଇଁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ଦର୍ଶାଯାଇଛି ଯେ ବିଭିନ୍ନ ଜିଲ୍ଲାରୁ ତଥା ରାଜ୍ୟ ବାହାରୁ ବହୁ ରୋଗୀ ଏସସିବି ମେଡିକାଲକୁ ଚିକିତ୍ସା ପଇଁ ଆସୁଛନ୍ତି । ଏଠାରେ ଧାର୍ଯ୍ୟ ଥିବା ଶଯ୍ୟା ଠାରୁ ବହୁ ରୋଗୀ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏପରି ପରିସ୍ଥିତିରେ ମେଡିକାଲ ପରିସରରେ ଶାନ୍ତିପୂର୍ଣ୍ଣ ପରିବେଶ ଆବଶ୍ୟକ ରହିଛି । କିନ୍ତୁ ଅନେକ ସମୟରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ଆନେ୍ଦାଳନ କରିବା ସହ ରାଜନୈତିକ ବ୍ୟକ୍ତି ବିଭିନ୍ନ ସମୟରେ ମେଡିକାଲ ପରିସରରେ ବିନା କାରଣରେ ପ୍ରବେଶ କରି ବିଭିନ୍ନ ଭାବେ ଆନେ୍ଦାଳନ କରୁଛନ୍ତି । ମେଡିକାଲ ପରିସରରେ ବିକ୍ଷୋଭ, ଶୋଭାଯାତ୍ରା, ପ୍ରତିବାଦ ସଭା ଆୟୋଜନ ଯୋଗୁ ଶାନ୍ତି ଶୃଙ୍ଖଳା ଭଙ୍ଗ ହେଉଛି ତାହାନୁହେ, ମେଡିକାଲ ପରିସରର ବାତାବରଣ ନଷ୍ଟ ହେଉଛି ଓ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ଏପରି ପରିସ୍ଥିତିରେ ରୋଗୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏସସିବି ମେଡିକାଲ ପରିିସରରେ କୌଣସି ପ୍ରକାର ଆନେ୍ଦାଳନ ପାଇଁ ଅନୁମତି ପ୍ରଦାନ କରା ନଯାଉ ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ମାମଲା ରୁଜୁ କରି ଏସସିବି ମେଡିକାଲ କଲେଜ ଅଧୀକ୍ଷକ, ଆଇନ ବିଭାଗ ସଚିବ, ସ୍ୱାସ୍ଥ୍ୟ ବିଭାଗ ସଚିବ, ଗୃହ ବିଭାଗ ସଚିବ, ପୁଲିସ କମିସନର, କଟକ ଜିଲ୍ଲାପାଳ, ଡିସିପି ଓ ମଙ୍ଗଳାବାଗ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରିଛନ୍ତି ।