ଏସସିବିରେ ଓଟି କମ୍ପ୍ଲେକ୍ସ ବ୍ୟବସ୍ଥା କେବେ?

May 4, 2018 - 06:38
 131
ଏସସିବିରେ ଓଟି କମ୍ପ୍ଲେକ୍ସ ବ୍ୟବସ୍ଥା କେବେ?
କଟକ,୪ା୫/(ସକାଳଖବର): ରାଜ୍ୟର ସର୍ବପୁରାତନ ଡାକ୍ତରଖାନାଭାବେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ) ପରିଗଣିତ ହୋଇଛି । କିନ୍ତୁ ଏଠାରେ ଗୋଟିଏ ସ୍ଥାନରେ ବିଭିନ୍ନ ବିଭାଗର ଅପରେସନ ଥିଏଟର ବା ଓଟି କମ୍ପ୍ଲେକ୍ସ ନାହିଁ, ଫଳରେ ବହୁ ସମସ୍ୟା ଦେଖାଦେଉଛି । ନୂତନ ସରକାରୀ ହସ୍ପିଟାଲରେ ଏହି ବ୍ୟବସ୍ଥା ହେଉଥିବାବେଳେ ଏସସିବିରେ କେବେ ଓଟି କମ୍ପ୍ଲେକ୍ସ ବ୍ୟବସ୍ଥା ହେବ ବୋଲି ଡାକ୍ତରଙ୍କ ମହଲରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ, ଅପରେସନପରେ ସମସ୍ତ ବିଭାଗର ବଳକା ରକ୍ତକୁ ସଂରକ୍ଷିତ ରଖିବାକୁ ପ୍ରିଜର୍ଭେସନ ଫ୍ରିଜ ବ୍ୟବସ୍ଥା ନଥିବାରୁ ଓଟି କମ୍ପ୍ଲେ୍କ୍ସ ବ୍ୟବସ୍ଥା କରାଯିବାକୁ ଡାକ୍ତରମାନେ ଦାବି ଉଠାଇଛନ୍ତି । ୧୯୪୪ ମସିହାରେ ୨୨ଟି ଏମବିବିଏସ ସିଟ୍କୁ ନେଇ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଆରମ୍ଭ ହୋଇଥିଲା । ୧୯୪୮ ମସିହାରେ ପ୍ରଥମ ବ୍ୟାଚ୍ର ଛାତ୍ରମାନେ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ । ପରେ ପିଜି କୋର୍ସ ଯୋଡି ହୋଇଥିଲା । ଏହା ରାଜ୍ୟର ପ୍ରଥମ ସରକାରୀ ମେଡିକାଲ କଲେଜ ହୋଇଥିବାବେଳେ ଅତ୍ୟାଧୁନିକ ଓଟି କମ୍ପ୍ଲେକ୍ସ ବ୍ୟବସ୍ଥା ହୋଇନାହିଁ । ଏହି ବ୍ୟବସ୍ଥା ହେଲେ ଜେନେରେଟର, ଟେକ୍ନିସିଆନଙ୍କ ସଂଖ୍ୟା ମଧ୍ୟ କମିଯିବ । ପୁନଶ୍ଚ ରୋଗୀଙ୍କପାଇଁ ଅତ୍ୟାବଶ୍ୟକ ନିଶା(ଆନାସ୍ଥେସିଆ) ବ୍ୟବସ୍ଥା ସୁବିଧାରେ ଦିଆଯାଇପାରିବ । ସେହିପରି ରୋଗୀଙ୍କ ଅପରେସନବେଳେ ଅଣାଯାଉଥିବା ଆବଶ୍ୟକ ରକ୍ତ କେତେକ ସମୟରେ ଅବ୍ୟବହୃତ ହୋଇ ପଡିରହୁଛି । ତାହାକୁ ପୁଣି ବ୍ଲଡ ବ୍ୟାଙ୍କର ଷ୍ଟୋରେଜକୁ ଫେରାଯାଉନାହିଁ । ସମସ୍ତ ବିଭାଗରେ ଅପରେସନପରେ ବଳକା ରକ୍ତକୁ ସୁରକ୍ଷିତଭାବେ ରଖିବାପାଇଁ ପ୍ରିଜର୍ଭେସନ ଫି୍ରଜ ବ୍ୟବସ୍ଥା ନଥିବାରୁ ବାଧ୍ୟହୋଇ ରକ୍ତକୁ ଫୋପଡାଯାଉଛି । ପ୍ରିଜର୍ଭେସନ ବ୍ୟବସ୍ଥା କରିବାକୁ କର୍ମଚାରୀ, ଟେକ୍ନିସିଆନ ଓ ଫ୍ରିଜର ବ୍ୟବସ୍ଥା ଆବଶ୍ୟକ । କିନ୍ତୁ ବଡ ମେଡିକାଲରେ ପ୍ରସୂତି ବିଭାଗକୁ ଛାଡିଦେଲେ ଅନ୍ୟ ବିଭାଗରେ ରକ୍ତ ସଂରକ୍ଷିତ ରଖିବାକୁ ଫି୍ରଜର ବ୍ୟବସ୍ଥା ନାହିଁ । ତେଣୁ ଯଦି ଓଟି କମ୍ପ୍ଲେକ୍ସ ବ୍ୟବସ୍ଥା ହୁଏ, ସେଠାରେ ଏକ ପ୍ରିଜର୍ଭେସନ ଫ୍ରିଜ୍ ରଖାଯାଇ ରକ୍ତକୁ ସଂରକ୍ଷିତ ରଖାଯାଇପାରିବ । ଆଜି ନୂତନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତାଙ୍କୁ ଭେଟି ନ୍ୟୁରୋ ସର୍ଜରୀ ବିଭାଗର ଜନୈକ ପ୍ରଫେସର ଏନେଇ ଅବଗତ କରାଇଛନ୍ତି । ଉକ୍ତ ପ୍ରଫେସର କହିଛନ୍ତି ଯେ, ଗୁରୁତର ରୋଗୀଙ୍କ ଅପରେସନବେଳେ ଆବଶ୍ୟକୀୟ ରକ୍ତ ବ୍ଲଡ ବ୍ୟାଙ୍କରୁ ମଗାଯାଉଛି । କିନ୍ତୁ ବଳକା ରକ୍ତ ଫେରସ୍ତ ଯାଉନଥିବାରୁ ନଷ୍ଟ ହେଉଛି । ତେଣୁ ବଡ ମେଡିକାଲରେ ଏକ ଓଟି କମ୍ପ୍ଲେକ୍ସ ବ୍ୟବସ୍ଥା କରାଯିବାକୁ ଜଣାଇଥିଲେ । ଏନେଇ ଅଧୀକ୍ଷକ ପ୍ରଫେସର ଶ୍ରୀ ଦେବତା କହିଥିଲେ ଯେ, ବଡ ମେଡିକାଲର ପୁରାତନ କୋଠା ତଥା ଓପିଡିକୁ ଭଙ୍ଗାଯାଇ ୮ମହଲା ବିଶିଷ୍ଟ କୋଠା ନିର୍ମାଣ ହେବାର ଯୋଜନା ରହିଛି । ସେଠାରେ ସରକାର ଚାହିଁଲେ ଏକ ଓଟି କମ୍ପ୍ଲେକ୍ସ ନିର୍ମାଣ କରିପାରିବେ ।