ଶାହାବାନୋ ମାମଲାରୁ ସରକାର ଶିକ୍ଷା ଲାଭ କରନ୍ତୁ

May 3, 2018 - 20:03
 296
ଶାହାବାନୋ ମାମଲାରୁ ସରକାର ଶିକ୍ଷା ଲାଭ କରନ୍ତୁ
୧୯୮୫ ମସିହାରେ ସୁପ୍ରିମକୋର୍ଟ ମୁସଲିମ ମହିଳାଙ୍କ ଭରଣପୋଷର ମାମଲାରେ ଏକ ଯୁଗାନ୍ତକାରୀ ରାୟ ପ୍ରଦାନ କରିଥିଲେ । ଏହା ମାମଲାଟି ସାରା ଦେଶରେ ଶାହାବାନୋ ମାମଲା ଭାବେ ପରିଚିତ ହୋଇଥିଲା । ତକ୍ରାଳିନ ସମୟ ପାଇଁ ଏହ ଥିଲା ଏକ ପ୍ରଗତିଶୀଳ ରାୟ । କିନ୍ତୁ ସେତେବେଳେ ଏହାକୁ ଏକ ପ୍ରଗତିଶୀଳ ରାୟ ଭାବେ ରାଜନୈତିକ ଦଳ ବା କିଛି ରକ୍ଷଣଶୀଳ ମୁସ୍ଲିମ ଗୋଷ୍ଠୀ ଗ୍ରହଣ କରିପାରିନଥିଲେ । ଏହାକୁ ନେଇ ଦେଶରେ ପ୍ରବଳ ହୋହଲ୍ଲା ହେଲା । ଏହି ରାୟ ମୁସଲିମ ବ୍ୟକ୍ତିଗତ ଆଇନର ବିରୁଦ୍ଧାଚରଣ କରୁଛି ବୋଲି କୁହାଗଲା । ମୁସଲିମ ସଂପ୍ରଦାୟର କିଛି ଗୋଷ୍ଠୀ ପ୍ରତିକ୍ରିୟାଶୀଳ ହୋଇପଡ଼ିଲେ । ଫଳରେ ରାଜନୀତି ଚଳଚଞ୍ଚଳ ହୋଇଉଠିଲା । ତକ୍ରାଳିନ କଂଗ୍ରେସ ସରକାର ଏହି ରାୟକୁ ଏକ ଅଧ୍ୟାଦେଶ ବଳରେ ଅକାମୀ କଲେ । ମାମଲାଟି ଥିଲା ୬୧ ବର୍ଷ ବୟସ୍କା ଶାହାବାନୋଙ୍କର । ତଲାକ ପରେ ନିଜ ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିଥିଲେ ଶାହାବାନୋ । ସୁପ୍ରିମକୋର୍ଟ ତାହା ମଞ୍ଜୁର କରୁଥିଲେ । କିନ୍ତୁ ଏହା ମୁସଲିମ ବ୍ୟକ୍ତଗତ ଆଇନର ପରିପନ୍ଥୀ ହୋଇଥିବା ଦର୍ଶାଇ ମୁସଲିମ ସଂପ୍ରଦାୟ ଏହାର ବିରୋଧ କରିବା ଫଳରେ ଭୋଟ ପ୍ରଭାବିତ ହେବା ଆଶଙ୍କାରେ କଂଗ୍ରେସ ସରକାର ଅଧ୍ୟାଦେଶ ଜାରି କରି ତଲାକ ବା ଛାଡ଼ପତ୍ର ପରେ ମାତ୍ର ୯୦ ଦିନ ପାଇଁ ଭରଣପୋଷଣ ବ୍ୟବସ୍ଥା କରିଥିଲେ । ପରେ ଏହା ଆଇନରେ ପରିଣତ ହୋଇଥିଲା । କିନ୍ତୁ ନିକଟରେ ତିନି ତଲାକ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଦର୍ଶାଇବା ପରେ ଏହି ରାୟକୁ ଏକ ପ୍ରଗତିଶୀଳ ରାୟ ଭାବେ ବିବେଚନା କରାଯାଉଛି । ଯଦି ୩ ତଲାକ ଅସାମ୍ବିଧାନିକ ତାହାଲେ କ୍ଷତିଗ୍ରସ୍ତ ପକ୍ଷ ଭରଣପୋଷଣ ପାଇବା ପାଇଁ ହକଦାର । ଅନୁରୂପ ଭାବେ ଅନୁସୂଚିତ ଜାତି ଓ ଜନଜାତି ଆଇନ ବାବଦରେ ସୁପ୍ରିମୋକୋର୍ଟ ନିକଟରେ ଏକ ରାୟ ପ୍ରଦାନ କରିଛନ୍ତି । ପୂର୍ବ ଆଇନରେ ତକ୍ରାଳ ଗିରଫଦାରୀ ବ୍ୟବସ୍ଥା ରଖାଯାଇଛି । କିନ୍ତୁ ସୁପ୍ରିମକୋର୍ଟ ସାଂପ୍ରତ୍ତିକ ରାୟରେ ତକ୍ରାଳ ଗିରଫଦାରୀ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି । ଅପରାଧର ଦଫା ଅନୁଯାୟୀ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଗିରଫଦାରୀ ହେବ ବୋଲି କହିଛନ୍ତି । କାରଣ ବହୁ ସମୟରେ ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ଏହି ଆଇନର ଦୁରୁପଯୋଗ କରାଯାଉଛି । ମିଥ୍ୟା ମାମଲାରେ ସବର୍ଣ୍ଣଙ୍କୁ ଫସାଇ ଦିଆଯାଉଛି । ଫଳରେ ସେମାନଙ୍କୁ ଜେଲ ଯିବାକୁ ପଡ଼ୁଛି । ପରିଶେଷରେ ବହୁ ମାମଲା ମିଥ୍ୟା ପ୍ରମାଣିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଉପରୋକ୍ତ ରାୟ ପ୍ରଦାନ କରିଥିଲେ । କିନ୍ତୁ ଏହାକୁ ନେଇ ଦଳିତ ବର୍ଗ ଦେଶରେ ହୋହଲ୍ଲା କଲେ । ସେମାନଙ୍କ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ଆଇନକୁ ସୁପ୍ରିମକୋର୍ଟ ନିଜ ରାୟରେ ନ୍ୟୂନ କଲେ ବୋଲି ଅଭିଯୋଗ ଆଣିଲେ । ଫଳରେ ପୁନର୍ବାର ରାଜନୈତିକ ଦଳଗୁଡ଼ିକ ନିଜ ଭୋଟ ଗୋଷ୍ଠୀ ପାଇଁ ତପôର ହୋଇଉଠିଲେ । ରାୟ ଉପରେ ରହିତାଦେଶ ପାଇଁ ସରକାର ( ବିଜେପି ଦଳ) ଅଦାଲତରେ ଆବେଦନ କଲେ । କିନ୍ତୁ ଏହା ଉପରେ ରହିତାଦେଶ ଦେବାକୁ ଅଦାଲତ ଆଜି ମନା କରିଦେଇଛନ୍ତି ଏବଂ ଏକ ବିସ୍ତୃତ ସ୍ପଷ୍ଟୀକରଣ ମଧ୍ୟ ପ୍ରଦାନ କରିଛନ୍ତି । ଏହାପରେ ସରକାର ଅଧ୍ୟାଦେଶ ଆଣି ଏହି ରାୟକୁ ଅକାମୀ କରିବା ସହ ଦଳିତଙ୍କୁ ସ୍ୱତନ୍ତ୍ର ସୁରକ୍ଷା ପ୍ରଦାନ କରି ସବର୍ଣ୍ଣଙ୍କୁ ଅବହେଳିତ କରି ରଖିବା ପାଇଁ ଯୋଜନା କରିଛନ୍ତି । ଏହାର ପରିଣାମ ମଧ୍ୟ ଶାହାବାନୋ ଅଧ୍ୟାଦେଶ ପରି ହେବ ବୋଲି ଜଳଜଳ ଦେଖାଯାଉଛି । ବର୍ତ୍ତମାନ ସରକାର ଏହାକୁ ଏକ ପ୍ରଗତିଶୀଳ ରାୟ ଭାବେ ଗ୍ରହଣ କରିପାରୁନାହାଁନ୍ତି । କିନ୍ତୁ ସମୟ ଆସବ ଗ୍ରହଣ କରିବାକୁ ବାଧ୍ୟ ହେବେ । କେତେଦିନ ଦଳିତଙ୍କୁ ସରକାର ସୁରକ୍ଷା ଦେଇପାରିବେ ? ସରକାର ଦଳିତଙ୍କର, ଦଳିତଙ୍କ ପାଇଁ, ଦଳିତଙ୍କ ଦ୍ୱାରା କି ? ବୋଲି ସମ୍ବିଧାନରେ ସ୍ପଷ୍ଟ ହେବା ଆବଶ୍ୟକ ।