ଏନଏସଡ଼ିଏଫ, ଏନଏସଡ଼ିସି ଓ ଏନଏଫ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର
ଭୁବନେଶ୍ୱର, ୧୮/୪: ଅବହେଳିତ, ମହିଳା ଓ ଯୁବକଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉଦେ୍ଧଶ୍ୟରେ ଦକ୍ଷ ଭାରତ ମିଶନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଉଦେ୍ଧଶ୍ୟରେ ଜାତୀୟ ଦକ୍ଷତା ବିକାଶ ପାଣ୍ଠି (ଏନଏସଡ଼ିଏଫ), ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡ଼ିସି ) ଓ ନାଲକୋ ଫାଉଣ୍ଡେସନ (ଏନଏଫ) ମଧ୍ୟରେ ଏକ ବୁଝାମଣାପତ୍ର ଆଜି ସ୍ୱାକ୍ଷର ହୋଇଛି । ବୁଝାମଣାପତ୍ର ସର୍ତ୍ତ ଅନୁଯାୟୀ ଭବିଷ୍ୟତ ନିଯୁକ୍ତି ସୁଯୋଗ ପାଇଁ ଯୁବକମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବା ସହ ସେମାନଙ୍କୁ ସଶକ୍ତିକରଣ କରାଯିବ । ମୁଖ୍ୟତଃ ନାଲକୋର ବିଭିନ୍ନ କ୍ଷେତ୍ର ଅଞ୍ଚଳରେ ନିଯୁକ୍ତି ସୁଯୋଗ ପ୍ରଦାନ ଏହି ତାଲିମର ମୁଖ୍ୟ ଲକ୍ଷ୍ୟ । ବୁଝାମଣା ମଧ୍ୟରେ କର୍ପୋରେଟ ଦକ୍ଷତା ଉକ୍ରର୍ଷତା କେନ୍ଦ୍ର ପ୍ରତିଷ୍ଠା ମଧ୍ୟ ଅନ୍ତର୍ଭୁକ୍ତ । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ମିଶନ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ତାଲିମ ପ୍ରଦାନରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ନାଲକୋ କେବଳ ଓଡ଼ିଶାର ନୁହେଁ ସାରା ଦେଶ ପାଇଁ ଗର୍ବର ପ୍ରତୀକ । ବେଦାନ୍ତ ଓ ଆଦିତ୍ୟ ବିର୍ଲା ଗ୍ରୁପ ଶିଳ୍ପାନୁଷ୍ଠାନ କରି ଆଗାମୀ ୨୫ରୁ ୩୦ ବର୍ଷ ମଧ୍ୟରେ ନାଲକୋ ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ଉନ୍ନତ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ । ନାଲକୋ ଏକ ପ୍ରତିଷ୍ଠାନ କେବଳ ନୁହେଁ, ଏହା ଏକ ସଂସ୍କୃତି । ଓଡ଼ିଶାର ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ ପାଇଁ ନାଲକୋ ଓ ଏନଏସଡ଼ିସି ୫୦ କୋଟି ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଥିଲେ । ନାଲକୋ ସିଏମଡ଼ି ଡ଼କ୍ଟର ତପନ କୁମାର ଚାନ୍ଦ ଏହି ଅବସରରେ କହିଥିଲେ ଯେ, ଶିଶୁ, ମହିଳା, ଦିବ୍ୟାଙ୍ଗ ଓ ଯୁବକଙ୍କୁ ଧନ୍ଦାମୂଳକ ଦକ୍ଷତା ପ୍ରଦାନ ସହ ଦକ୍ଷତାର ବିକାଶ କରିବା ପାଇଁ ନାଲକୋ ଉଦ୍ୟମ କରିବ । ଏହାଦ୍ୱାରା ସେମାନଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧିପାଇବା ସହ ଜୀବିକାରେ ମଧ୍ୟ ଉନ୍ନତି ଘଟିପାରିବ ବୋଲି ସେ କହିଥିଲେ ।