ସ୍ୱାନିମ୍ନମାନ ଔଷଧର ବ୍ୟାପକ କାରବାର

Apr 18, 2018 - 15:36
 188
ସ୍ୱାନିମ୍ନମାନ ଔଷଧର ବ୍ୟାପକ କାରବାର
ରାଜ୍ୟରେ ନିମ୍ନମାନର ଔଷଧର ବ୍ୟାପକ ବିକ୍ରି ଏବେ ଚିକିତ୍ସକମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ଔଷଧ ଦୋକାନଗୁଡ଼ିକରେ ଏପ୍ରକାର ଔଷଧର ବ୍ୟାପକ ପ୍ରସାର ଯୋଗୁଁ ରୋଗୀସେବା କାର୍ଯ୍ୟ ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ୁଛି । ଏହି ନିମ୍ନମାନର ଔଷଧ ବ୍ୟବହାର କରି ରୋଗୀମାନେ ଆରୋଗ୍ୟ ହେବା ପରିବର୍ତ୍ତେ ସେମାନଙ୍କ ଶରୀରରେ ଅନ୍ୟାନ୍ୟ ଉପସର୍ଗମାନ ଦେଖାଦେଉଛି ବୋଲି ଡାକ୍ତରମାନେ ଅଭିଯୋଗ କରୁଛନ୍ତି । ବଜାରରେ ବିପୁଳ ପରିମାଣର ନିମ୍ନମାନର ଔଷଧ କାରବାର ସଂପର୍କରେ କେତେକ ପ୍ରତିଷ୍ଠିତ କଂପାନୀ ପକ୍ଷରୁ ମଧ୍ୟ ଇତିମଧ୍ୟରେ ରାଜ୍ୟ ଔଷଧ ନିୟନ୍ତ୍ରକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାଯାଇଛି । ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ପରି ଔଷଧ ଦୋକାନମାନ ଖୋଲିଚାଲିଛି । କେଉଁଠି ଯଦି ଗୋଟିଏ ବେସରକାରୀ କ୍ଲିନିକ ଖୋଲୁଛି ସେଠାରେ କ୍ଲିନିକକୁ ଲାଗି ଏକ ଔଷଧ ଦୋକାନ ମଧ୍ୟ ଖୋଲୁଛି । ଏତଦ୍ବ୍ୟତୀତ ବ୍ୟବସାୟିକ ଅଭିବୃଦ୍ଧି ପାଇଁ କେତେକ ଔଷଧ ବ୍ୟବସାୟୀ ନିଜ ଦୋକାନରେ ଡାକ୍ତରୀ ପରାମର୍ଶ ପାଇଁ ଡାକ୍ତରଙ୍କୁ ଆଣି ବସାଉଥିବାର ମଧ୍ୟ ଦେଖାଯାଉଛି । ସହରାଞ୍ଚଳ ବା ଅର୍ଦ୍ଧସହରାଞ୍ଚଳରେ ଯେଉଁ ନର୍ସିଂହୋମ ପ୍ରତିଷ୍ଠା କରାଯାଉଛି ସେଠାରେ ଏକାଧିକ ଔଷଧ ଦୋକାନ ଖୋଲାଯାଉଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିବା ସ୍ଥାନରେ ମଧ୍ୟ ଔଷଧ ଦୋକାନ ଖୋଲିବାରେ ଲାଗିଛି । ଏପ୍ରକାର ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ନିଜର ବ୍ୟବସାୟିକ କାରବାର ବୃଦ୍ଧି କରିବା ଉଦେ୍ଧଶ୍ୟରେ ଔଷଧ ଉପôାଦନକାରୀ କଂପାନୀ ଓ ଖୁଚୁରା ବିକ୍ରେତାମାନେ ତପôର ହୋଇପଡ଼ୁଛନ୍ତି । ବ୍ରୁଫେନ, ପାରାସିଟାମଲ, ଆଣ୍ଟି-କୋଲଡ଼, ଆଣ୍ଟି-ଆଲର୍ଜି, ସିପ୍ରୋଫ୍ଲକ୍ସାସିନ ଜାତୀୟ ବ୍ୟାପକ ନିମ୍ନମାନର ଔଷଧ ବଜାରରେ ପ୍ରଚଳିତ ଥିବାର ଦେଖାଯାଉଛି । ସଠିକ୍ ଗୁଣାତ୍ମକ ମାନର ଏକ ସିପ୍ରୋ ଆଣ୍ଟିବାୟୋଟିକ ବା ପାରାସିଟାମଲ ବଟିକାର ଦାମ ଯାହା ହେବା କଥା ନିମ୍ନମାନର ବଟିକା ଗୁଡ଼ିକ ତାଠାରୁ ଅନୂ୍ୟନ ୫୦ ଭାଗ କମ ମୂଲ୍ୟରେ ବିକ୍ରି କରାଯାଉଛି । ରୋଗୀମାନେ ସ୍ୱାଭାବିକ ଭାବେ କମ ମୂଲ୍ୟର ଔଷଧ କିଣିବାକୁ ପସନ୍ଦ କରୁଛନ୍ତି । ଏହି ଔଷଧ କ୍ରୟ ପାଇଁ ଦୋକାନୀମାନେ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବାର ମଧ୍ୟ ଦେଖାଯାଉଛି । କିନ୍ତୁ ଏହି କମ ମୂଲ୍ୟର ନିମ୍ନମାନର ଔଷଧ ସେବନ କରି ରୋଗୀ ଆରୋଗ୍ୟ ହୋଇପାରୁନଥିବା ଦେଖାଯାଉଛି । ଏହି ଔଷଧ ବ୍ୟାପକ ବିକ୍ରି କରିବା ବା ବ୍ୟବହାର ପାଇଁ ରୋଗୀମାନଙ୍କୁ ପରାମର୍ଶ ଦେବାକୁ ଡାକ୍ତରମାନଙ୍କୁ ପ୍ରବର୍ତ୍ତାଯାଉଛି । ଏ ସଂପର୍କରେ ନିଜ ନାମ ପ୍ରକାଶ କରିବାକୁ ଅନିଚ୍ଛା ପ୍ରକାଶ କରି ଜନୈକ ଡାକ୍ତର କହିଛନ୍ତି ଏଥିପାଇଁ କଂପାନୀ ପକ୍ଷରୁ ଡାକ୍ତରମାନଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରାଯାଉଛି । ରାଜ୍ୟ ବାହାରେ ହେଉଥିବା ବିଭିନ୍ନ ସମ୍ମିଳନୀରେ ଯୋଗଦେବା ନିମନ୍ତେ ଡାକ୍ତରମାନଙ୍କ ପାଇଁ ବିମାନ ଟିକେଟ, ରେଳ ଟିକେଟ ଆଦିର ବ୍ୟବସ୍ଥା କରାଯିବା ସହ ସମ୍ମିଳନୀ ହେଉଥିବା ସହରରେ ରହିବାର ମଧ୍ୟ ବନେ୍ଦାବସ୍ତ କରାଯାଉଛି । ସେହିପରି ସେମାନଙ୍କ ଉପôାଦିତ ସାମଗ୍ରୀ ବିକ୍ରି କରିବା ପାଇଁ ଦୋକାନୀମାନଙ୍କୁ ଅଧିକ କମିଶନ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ବଜାରରେ ଉପଲବଧ୍ ଏହି ଔଷଧର ଗୁଣାତ୍ମକ ମାନ ସଂପର୍କରେ ନିୟମିତ ପରୀକ୍ଷା କରାଯାଉନଥିବାରୁ ନିମ୍ନମାନର ଔଷଧ ପ୍ରସାର ବୃଦ୍ଧି ପାଇଚାଲିଛି ବୋଲି ଭାରତୀୟ ମେଡ଼ିକାଲ ଆସୋସିଏସନ ପକ୍ଷରୁ କୁହାଯାଇଛି । କେବଳ ଅଭିଯୋଗ ପାଇବା ପରେ ଯାଇ ଔଷଧ ନିୟନ୍ତ୍ରକ କିଛି ସ୍ଥାନରେ ଚଢ଼ାଉ କରୁଛନ୍ତି ବା ଔଷଧ ଯାଞ୍ଚ କରୁଛନ୍ତି । କିନ୍ତୁ ଗ୍ରାମାଞ୍ଚଳରୁ ଏପ୍ରକାର ଅଭିଯୋଗ ଆସିବା ସମ୍ଭବ ହେଉନଥିବାରୁ ଏହାର ସୁଯୋଗରେ ସଂପୃକ୍ତ ଅଞ୍ଚଳରେ ଏହି ଔଷଧ ଗୁଡ଼ିକର ବ୍ୟାପକ କାରବାର କରାଯାଉଛି ।