ଉକ୍ରଳ ହାଇଟ୍ସରେ ଜୀବନ ଅସୁରକ୍ଷିତ, ହାଇକୋର୍ଟରେ ମାମଲା

May 21, 2018 - 06:37
 153
ଉକ୍ରଳ ହାଇଟ୍ସରେ ଜୀବନ ଅସୁରକ୍ଷିତ, ହାଇକୋର୍ଟରେ ମାମଲା
କଟକ,୨୧ ।୫(ସକାଳଖବର): ବାଲିଆନ୍ତା ଥାନା ଅନ୍ତର୍ଗତ ପାହାଳ ଠାରେ ଥିବା ବହୁତଳ ପ୍ରସାଦ ଉକ୍ରଳ ହାଇଟ୍ସ ସରକାରୀ ନିୟମକାନୁନକୁ ଉଲଘଂନ କରି ବେଆଇନ ଭାବେ ଏକ କଲ୍ୟାଣ ମଣ୍ଡପ ଚଳାଉଥିବାବେଳେ ଅଗ୍ନି ସୁରକ୍ଷା ଉପରେ କୌଣସି ପ୍ରମାଣପତ୍ର ହାସଲ କରିନଥିବା ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଉକ୍ରଳ ହାଇଟ୍ସରେ ରହୁଥିବା ବାସିନ୍ଦା ସନକ ମିଶ୍ର ନେଇ ଏକ ମାମଲା ରୁଜୁ କରି ଏଥିରେ ଗୃହ ଓ ନଗରାଞ୍ଚଳ ବିକାଶ ସଚିବ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଉପାଧ୍ୟକ୍ଷ, ଭୁବନେଶ୍ୱର କମିସନରେଟ ପୁଲିସ ଡିସିପି, ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସଦସ୍ୟ ସଚିବ, ଅଗ୍ନିଶମ ବିଭାଗ ଡିଜି ଓ ଉକ୍ରଳ ରିଅଲେଟର ଏମଡିକୁ ପକ୍ଷଭୁକ୍ତ କରିଛନ୍ତି । ଆବେଦନକାରୀ ଉକ୍ତ ମାମଲାରେ ଦର୍ଶାଇଛନ୍ତି ଯେ ଏହି ବିଲଡର ସଂସ୍ଥା ପ୍ରଦତ୍ତ ବିବରଣୀ ପୁସ୍ତିକାରେ ଯେଉଁ ପ୍ରତିଶ୍ରୃତି ଦେଇଥିଲା, ତାହା ପାଳନ କରିନାହି । ତେବେ ବହୁତଳ ପ୍ରସାଦ ନିର୍ମାଣ ସମୟରେ ୮୦ପ୍ରତିଶତ ସ୍ଥାନ ଖୋଲା ଭାବେ ରଖିବା ପାଇଁ ଦର୍ଶାଇଥିବାବେଳେ ପରବର୍ତ୍ତୀ ସମୟରେ ସେଥିରୁ ୨୦ପ୍ରତିଶତ ହ୍ରାସ କରିଥିଲା । ଏହି ସୁ ଉଚ୍ଚ ଅଟ୍ଟାଳିକାରେ ୩ଶହ ପରିବାର ରହୁଥିବାବେଳେ ପ୍ରତ୍ୟେକ ବାସିନ୍ଦା ରୋଷେଇ ପାଇଁ ଗ୍ୟାସ ବ୍ୟବହୃତ କରୁଛନ୍ତି । କିନ୍ତୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ବସବାସ କରୁଥିବା ଲୋକମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଦେଦନକାରୀ ଦର୍ଶାଇଛନ୍ତି । ଏହା ପରିସରରେ ବେଆଇନ ଭାବେ ବାଣିଜ୍ୟ ଭିତ୍ତିରେ ଏକ କଲ୍ୟାଣ ମଣ୍ଡପ ଚାଲୁଛି । ଯାହାକି ବିଡିଏ ଓ ସହରାଞ୍ଚଳ ପୁଲିସ ନିୟମକୁ ଉଲଘଂନ କରୁଥିବା ଆବେଦନକାରୀ ଦର୍ଶାଇଛନ୍ତି । ତେବେ ଏହି ସୁ ଉଚ୍ଚ ଅଟ୍ଟାଳିକା ୪.୫୩ ଏକର ପରିସର ଜାଗାରେ ଥିବାବେଳେ ୫ଟି ବ୍ଲକକୁ ବିଡିଏ ଅନୁମତି ପ୍ରଦାନ କରିଛି । ବେଆଇନ ଭାବେ ହୋଇଥିବା ନିର୍ମାଣସ୍ଥଳୀକୁ ଉଚ୍ଛେଦ, କଲ୍ୟାଣ ମଣ୍ଡପକୁ ବନ୍ଦ କରି ପ୍ରଦୂଷଣ ଉପରେ ପଦକ୍ଷେପ ସହ ଜୀବନ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉ ବୋଲି ପ୍ରାର୍ଥନା କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବୀପ୍ରସାଦ ଦାଶ ମାମଲା ଦାୟର କରିଛନ୍ତି ।