ଇସକନ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ

Jul 31, 2018 - 19:53
 212
ଇସକନ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ
କଟକ,୩୧ା୭(ସକାଳଖବର): ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃୀଷ୍ଣ କନ୍ସସିଅସନେସ(ଇସକନ) ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ ଦାୟର ମାମଲାରେ ହାଇକୋର୍ଟ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ରେ ଅଭିଯୋଗ ଉପସ୍ଥାପନା କରିବା ପାଇଁ ନିଦେ୍ର୍ଧଶ ଦେବା ସହ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବଂଶୀଧର ବାଉଗ ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ନୟାପଲ୍ଲୀ ଅଞ୍ଚଳରେ ଥିବା ଇସକନ ପକ୍ଷରୁ ଜବରଦଖଲ ଥିବା ଅଭିଯୋଗକ୍ରମେ ବିଡିଏ ଓ ବିଏମସି ପକ୍ଷରୁ ଗତ ୨୮ତାରିଖରେ ଉଚ୍ଛେଦ କରାଯାଇଥିଲା । ତେବେ ବିଏମସି ପକ୍ଷରୁ ୨୫ତାରିଖରେ ନୋଟିସ ପ୍ରସ୍ତୁତ କରାଯାଇ ୨୬ତାରିଖରେ ଦିଆଯାଇଥିବାବେଳେ କାରଣ ଦର୍ଶାଇବା ପାଇଁ ସୁଯୋଗ ଦିଆଯାଇନଥିଲା । ଅତ୍ୟନ୍ତ ତରଭରିଆ ଭାବେ ଏହି ଉଚ୍ଛେଦ କରାଯାଇଥିବାବେଳେ ଏହି ଜାଗା ବିଏମସି କିମ୍ବା ବିଡିଏର ନୁହେ, ଏନଏଚଏଆଇର ବୋଲି ଇସକନ ପକ୍ଷରୁ ଆବେଦନପତ୍ରରେ ଦର୍ଶାଯାଇଛି । ଉଚ୍ଛେଦସ୍ଥଳୀ ଇସକନର ମାଲିକନା ଅଧିନରେ ଥିବାବେଳେ ଏନଏଚଏଆଇ ଏହାକୁ ଅଧିଗ୍ରହଣ କରିଥିଲା । ମାତ୍ର ଏ ବାବଦରେ କୌଣସି କ୍ଷତିପୂରଣ ମିଳିନାହି । ଉକ୍ତ ମାମଲାରେ ବିଏମସି, ବିଡିଏ, ଏନଏଚଏଆଇ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।