ଆସିଲା ପ୍ରାଥମିକ ରିପୋର୍ଟ: ଜଓ୍ୱାଦରେ ୧୩୧ ବ୍ଲକ ପ୍ରଭାବିତ

Dec 14, 2021 - 07:54
 85
ଆସିଲା ପ୍ରାଥମିକ ରିପୋର୍ଟ: ଜଓ୍ୱାଦରେ ୧୩୧ ବ୍ଲକ ପ୍ରଭାବିତ
ଭୁବନେଶ୍ବର: ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରୀୟ ଦଳ ଫେରିଯାଇଛନ୍ତି । ଦିଲ୍ଲୀ ଫେରିବା ପୂର୍ବରୁ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରାଳୟ ଟିମ୍‌ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି । ଆବଶ୍ୟକ ସ୍ଥଳେ ରିଲିଫ୍‌ କୋଡ୍‌ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଇପାରେ । ଏନେଇ କେନ୍ଦ୍ରୀୟ ଦଳ ସୂଚନା ଦେଇଛି । କେନ୍ଦ୍ରୀୟ ଟିମ୍‌ ଦିଲ୍ଲୀ ଫେରି କ୍ଷୟକ୍ଷତି ଆକଳନ କରି ସପ୍ତାହକ ମଧ୍ୟରେ ସ୍ବରାଷ୍ଟ୍ର ବିଭାଗକୁ ରିପୋର୍ଟ ପ୍ରଦାନ କରିବ । କେନ୍ଦ୍ରୀୟ ଟିମ୍ ଗତ ଦୁଇଦିନ ଧରି ଜଓ୍ୱାଦ୍ ବାତ୍ୟା ଓ ବର୍ଷା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ।ସୋମବାର ସନ୍ଧ୍ୟାରେ ଏହି ଟିମ୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନ ପ୍ରଦୀପ କୁମାର ଜେନାଙ୍କ ସହ ଲୋକସେବା ଭବନ ସଭାଗୃହରେ କ୍ଷୟକ୍ଷତି ବିଷୟ ଆଲୋଚନା କରିଛନ୍ତି । ପ୍ରାଥମିକ ଆକଳନ ଅନୁସାରେ ୧୨ଟି ଜିଲ୍ଲାର ୧୩୧ଟି ବ୍ଲକରେ ପ୍ରାୟ ୫.୭୮ ଲକ୍ଷ ହେକ୍ଟର ଜମିର ଖରିଫ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗଞ୍ଜାମ, ଭଦ୍ରକ, ପୁରୀ, କଟକ, ବାଲେଶ୍ଵର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଯାଜପୁର ଏବଂ ମୟୂରଭଞ୍ଜ ଭଳି ଜିଲ୍ଲାରେ ଏହି ତାଲିରେ ସାମିଲ ରହିଛନ୍ତି । ଧାନ ଏବଂ ଅନ୍ୟାନ୍ୟ ଖରିଫ ଫସଲ ବ୍ୟତୀତ ପ୍ରବଳ ବର୍ଷା ଦ୍ୱାରା ଆଳୁ, ବାଦାମ ଏବଂ ଅନ୍ୟାନ୍ୟ ପ୍ରମୁଖ ପନିପରିବାରେ ବ୍ୟାପକ କ୍ଷତି ଘଟିଛି । ବର୍ତ୍ତମାନ କ୍ଷେତ୍ରସ୍ତରୀୟ କ୍ଷୟକ୍ଷତି ଆକଳନ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସୂଚନା ଦେଇଛନ୍ତି । ପ୍ରକୃତ କ୍ଷୟକ୍ଷତି ଆକଳନ ପ୍ରାୟ ୭ ଦିନ ମଧ୍ୟରେ ଶେଷ ହେବା ନେଇ ଉନ୍ନୟନ କମିଶନର ସୂଚନା ଦେଇଛନ୍ତି । ଖରିଫ ଫସଲ ପାଚିବା ସମୟରେ ସାମୁଦ୍ରିକ ବାତ୍ୟା ଜନିତ ବର୍ଷା ଚାଷୀମାନଙ୍କର ପ୍ରଭୁତ କ୍ଷତି କରିଛି । ଜମିରେ ପାଣି ଜମି ରହିବାରୁ ଚାଷୀ ମଧ୍ୟ ରବି ଫସଲ ପାଇଁ ମଞ୍ଜି ବୁଣିବାରୁ ବଞ୍ଚିତ ହୋଇଛନ୍ତି । କେନ୍ଦ୍ରୀୟ ଟିମ ସଦସ୍ୟ ଡ. ମାନସ କୁମାର ସିହ୍ନା ପ୍ରତିକ୍ରିୟାରେ କହିଛନ୍ତି ଯେ, ବାତ୍ୟା ଜନିତ ଲଗାଣ ବର୍ଷାରେ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଛି । ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଅର୍ଥକରୀ ଫସଲ ଯଥା ଚିନ ବାଦାମ, ପନିପରିବା ବିଲରେ ପଚି ଯାଇଛି । ଚାଷୀମାନଙ୍କୁ କିପରି ଉଚିତ ସହାୟତା ମିଳିବ, କେନ୍ଦ୍ରୀୟ ଟିମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ । ଏହା ସହିତ ଦୁର୍ବିପାକ ସମୟରେ ଫସଲ ନଷ୍ଟ ରୋକିବାକୁ ଦୀର୍ଘ ମିଆଦୀ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଜମିରୁ ଜଳ ନିଷ୍କାସନ ଯେପରି ସୁବିଧାରେ ହୋଇପାରିବ, ସେଥିଲାଗି କ୍ଷେତ୍ର ସ୍ତରରେ ପଦକ୍ଷେପ ନିଆଯିବ । ଆବଶ୍ୟକ ସ୍ଥଳେ ରିଲିଫ କୋଡ଼ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଇପାରେ । କେନ୍ଦ୍ରୀୟ ଟିମ ଦିଲ୍ଲୀ ଫେରି କ୍ଷୟକ୍ଷତି ଆକଳନ କରି ସପ୍ତାହକ ମଧ୍ୟରେ ସ୍ବରାଷ୍ଟ୍ର ବିଭାଗକୁ ରିପୋର୍ଟ ପ୍ରଦାନ କରିବ ।