ଆଳୁ ମିଶନ ଯୋଜନାରେ ୩୦୦ କୋଟି ଲୁଟ୍ - ବିଜେପି
ଭୁବନେଶ୍ୱର, ୩୦/୩(ସକାଳଖବର): ୧୯ ବର୍ଷର ନିରଙ୍କୁଶ କ୍ଷମତା ଥାଇବି ବିଜୁ ଜନତା ଦଳର ସରକାର ରାଜ୍ୟରେ ଶିତଳ ଭଣ୍ଡାରଟିଏ ନିର୍ମାଣ କରିପାରିଲେ ନାହିଁ । ଓଡିଶାରେ ଆଳୁ ଉପôାଦନ ବି ବଢିଲା ନାହିଁ । ଆଜିବି ଆମେ ଆଳୁ ପାଇଁ ପଡୋଶି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ । ୧୯ ବର୍ଷର ନିରବଛିନ୍ନ ବିଫଳତା, ଅପାରଗତା ଏବଂ ଚାଷୀମାରଣ ନୀତି ପାଇଁ ଆଜି ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇପାରିଲା । ଆଳୁ ମିଶନ ବି ଫେଲ ମାରିଲା । ଆଳୁ ମିଶନରେ ୩୦୦ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଲୁଟ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱିରାଜ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଆଳୁ ମିଶନ ଅର୍ଥରେ ମନ୍ତ୍ରୀ, ଅଫିସରମାନେ ବିଦେଶ ବୁଲିଛନ୍ତି । ପେରୁ, ଦୁବାଇ ଯେଉଁଠି ଆଳୁ ଚାଷ ହୁଏ ନାହିଁ ସେଠାରେ ଆଳୁ ଚାଷ ବିଷୟରେ ଜ୍ଞାନ ହାସଲ ପାଇଁ ଯାଇଛନ୍ତି । ଗରିବ ଓଡିଆଙ୍କ ଅର୍ଥର ଏପରି ବ୍ୟାପକ ହରିଲୁଟର ଜବାବ ଓଡିଶା ଲୋକ ଆଗାମି ନିର୍ବାଚନରେ ଦେବେ । ୨୦୧୪ରେ ବିଜୁ ଜନତା ଦଳ ନିର୍ବାଚନ ଇସ୍ତାହାରରେ କହିଥିଲା ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ? କୁଆଡେ ଗଲା ସେ ପ୍ରତିଶୃତି ? କେତେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେଲା ତାହାର ଜବାବ ବିଜୁ ଜନତା ଦଳ ଜବାବ ଦିଅନ୍ତୁ ।୨୭ ଡିସେମ୍ବର ୨୦୧୪ରେ ରାଜ୍ୟ ସରକାର ଆଳୁ ମିଶନର ଘୋଷଣା କରିଥିଲେ । ୨୦ ଅଗଷ୍ଟ ୨୦୧୫ରେ ମୁଖ୍ୟମନ୍ତ୍ରୀ ଆଳୁ ସଂରକ୍ଷଣ ପାଇଁ ଆଗାମି ୩ ବର୍ଷରେ ୧୧୨ଟି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରିଥିଲେ । ୨୬ ଅକ୍ଟୋବର ୨୦୧୫ରେ ମନ୍ତ୍ରୀସ୍ତରୀୟ ବୈଠକରେ ଆଳୁ ମିଶନର ସମୀକ୍ଷା ହୋଇଥିଲା । ମାର୍ଚ୍ଚ ୧୪, ୨୦୧୬ରେ ଆଉ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ଆଳୁ ମିଶନର ସମୀକ୍ଷା ହୋଇଥିଲା । କୁଆଡେ ଗଲା ସେ ସମୀକ୍ଷାର ରିପୋର୍ଟ ବୋଲି ସେ ପ୍ରଶ୍ନ କରିଛନ୍ତି ।
ବିଜୁ ଜନତା ଦଳର ସରକାର କେତେ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କଲେ, ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଏହାର ଉତର ରଖନ୍ତୁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
୨୨ ଜଣ ଯୁବ ଶିଳ୍ପ ଉଦ୍ୟୋଗପତି ରାଜ୍ୟ ସରକାରଙ୍କ ଭରଷାରେ ରିହାତି ନେଇ ପିପିପି ମୋଡରେ ଆଳୁ ମିଶନ ଯୋଜନାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିଲେ ହେଲେ ସେମାନଙ୍କର ଅବସ୍ଥା ଆଜି ଶୋଚନୀୟ । ମାସକୁ ମାସକୁ ବ୍ୟାଙ୍କକୁ ସୁଧ ଦେଉଥିଲାବେଳେ ଆଳୁ ଉପ୍ତାଦନ ହେଉନଥିବା କାରଣରୁ ଓ ବିଜୁଳି ସଂଯୋଗର ଅଭାବ କାରଣରୁ ସେ ସବୁ ଶୀତଳ ଭଣ୍ଡାରରେ ଆଜି ତାଲା ପଡିଛି । ଏ ସରକାର ୧୯ ବର୍ଷରେ ଚାଷୀ ଏବଂ କୃଷି ଉଦ୍ୟୋଗପତିମାନଙ୍କୁ ପ୍ରତାରଣା କରିଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।