ଆନ୍ଧ୍ର ଓ ତେଲେଙ୍ଗାନା ପାଠ୍ୟକ୍ରମରେ ରଥଯାତ୍ରାର ଭୁଲ୍ ତଥ୍ୟ

Aug 2, 2018 - 15:09
 207
ଆନ୍ଧ୍ର ଓ ତେଲେଙ୍ଗାନା ପାଠ୍ୟକ୍ରମରେ ରଥଯାତ୍ରାର ଭୁଲ୍ ତଥ୍ୟ
ପୁରୀ,୨/୮ (ସକାଳଖବର): ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସ୍କୁଲ କଲେଜ ପାଠ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ନବକଳେବର ଓ ହିନ୍ଦୁ ସନାତନ ଧର୍ମ ବିରୁଦ୍ଧରେ ଭୁଲ୍ ତଥ୍ୟ ଦିଆଯାଇ ପଢ଼ାଯାଉଛି । ଏହାକୁ ବିରୋଧ କରି ସିଂହଦ୍ୱାର ଠାରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ଓ ପୋଷ୍ଟର ପୋଡ଼ି କରାଯାଇଛି । ସେନାର ମୁଖ୍ୟ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ଇସ୍କନ ହିନ୍ଦୁଧର୍ମକୁ ବିଭ୍ରାନ୍ତି କରିବା ପାଇଁ ବିଭିନ୍ନ ସମୟରେ ଭୁଲ୍ତଥ୍ୟ ଦେଇ ଧର୍ମନଷ୍ଟ କରିବାକୁ ଚେଷ୍ଟା କରୁଛି । ସେତେବେଳେ ଇଷ୍ଟଇଣ୍ଡିଆ କମ୍ପାନୀ ନାଁରେ ଆସି ୨୦୦ ବର୍ଷ ଶାସନ କରିଥିଲା । ଏବେ ଇସ୍କନ ନାଁରେ ମାଳି ଗଡ଼ାଇ ଜଗନ୍ନାଥଙ୍କ ରଥଯାତ୍ରାକୁ କୃଷ୍ଣ ବଳରାମଙ୍କ ଯୁବକବେଳର ଖେଳଯାତ୍ରା ବୋଲି କହିଛି । ଜଗନ୍ନାଥ ଧର୍ମ, ହିନ୍ଦୁ ସନାତନ ଧର୍ମକୁ ଭାଗ ଭାଗ କରିବା ପାଇଁ ଇସ୍କନ ଧର୍ମ ଅନୁଷ୍ଠାନ ଓ ଏହାର ଠିକାଦାରମାନେ ଚେଷ୍ଟା କରୁଛନ୍ତି । ରଥଯାତ୍ରା ଆଷାଢ଼ମାସ ଦ୍ୱିତୀୟାରେ ହେଉଥିବାବେଳେ ଇସ୍କନ ବର୍ଷକୁ ୫ଥର ରଥଯାତ୍ରା କରୁଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଧର୍ମଯୁଦ୍ଧ କରି ଭାରତକୁ ବିଖଣ୍ଡିତ କରିବା ପାଇଁ ନୂଆ ରୂପରେ ଇସ୍କନ ଭାରତକୁ ମାଳିଗଡ଼ାଇ ଆସିଛି ବୋଲି ଅଭିଯୋଗ କରିଥିଲେ । ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ନଷ୍ଟକରି ଦ୍ୱିତୀୟ ଶ୍ରୀମନ୍ଦିର ନିର୍ମାଣ ପାଇଁ ଚେଷ୍ଟାକରି ବିଫଳ ହୋଇଛି । ନବକଳେବର ୫୪ ଦିନ ହେଉଥିବାବେଳେ ପାଠ୍ୟପୁସ୍ତକରେ ୬୫ ଦିନ ବୋଲି ଉଲ୍ଲେଖ ହୋଇଛି । ଜୟମା ଜୟମ୍ ସିରିଜ ଆର୍ଟ ଏଜୁକେସନ ପ୍ରକାଶନ ପକ୍ଷରୁ ଡ. ଜି. ରାଧାକ୍ରିଷ୍ଣ ଓ ଡ. ଏନ୍. ସୁବାରାଇତୁ ଜଗନ୍ନାଥ ଧର୍ମ ସମ୍ପର୍କରେ ଭୁଲ୍ ତଥ୍ୟ ଦେଇ ଛାତ୍ରଛାତ୍ରୀମାନଙ୍କ ପାଖରେ ବହି ଛପାଇ ଛାଡ଼ିଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଯେଉଁ ରଥଯାତ୍ରା ହେଉଛି ତାକୁ ଇସ୍କନ କରୁଛି ବୋଲି ଉଲ୍ଲେଖ ଅଛି । ରଥଯାତ୍ରା ହେଉଛି କୃଷ୍ଣ, ବଳରାମ ଓ ସୁଭଦ୍ରାଙ୍କ ବୃନ୍ଦାବନରେ ଯୁବ ଅବସ୍ଥାର ଲୀଳାଖେଳା ବୋଲି କହିଛନ୍ତି । ଇସ୍କନ ଜଗନ୍ନାଥ ଧର୍ମକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି । ଆଗାମୀ ଦିନରେ ଜଗନ୍ନାଥ ଧର୍ମ ନଷ୍ଟ କରିବାକୁ ଚେଷ୍ଟାକଲେ ସେନା ପକ୍ଷରୁ ପ୍ରବଳ ବିରୋଧ କରାଯିବ ।