୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା
ଭୁବନେଶ୍ୱର,୨/୮ (ସକାଳଖବର): ରାଜ୍ୟର ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୮ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ଏବଂ ୪ ଟି ଜିଲ୍ଲାରେ ସ୍ୱାଭାବିକ୍ ଠାରୁ କମ୍ ବର୍ଷା ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଅନୁଗୁଳ , ସୁନ୍ଦସରଗଡ , ବଲାଙ୍ଗୀର ଓ ନୂଆପଡା । ଅନୁଗୁଳ ଜିଲ୍ଲାରେ -୨୯ ପ୍ରତିଶତ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡରେ -୨୧.୨ ପ୍ରତିଶତ , ବଲାଙ୍ଗୀରରେ -୨୪.୨ ପ୍ରତିଶତ ଓ ନୂଆପଡାରେ -୨୯.୩ କମ୍ ବର୍ଷା ହୋଇଛି । ଜୁନ୍ ୧ ତାରିଖରୁ ଅଗଷ୍ଟ ୧ ତାରିଖ ମଧ୍ୟରେ ଏହି ଆକଳନ କରାଯାଇଛି । ଏହି ୩ ମାସ ମଧ୍ୟରେ ଓଡିଶାରେ ୭.୧ ପ୍ରତିଶତ କମ୍ ବର୍ଷା ହୋଇଛି ।
୧୭ଟି ବ୍ଲକ୍ ରେ ବର୍ଷା ଅଭାବ ଜନିତ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ -୩୯ ପ୍ରତିଶତରୁ -୫୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ୪୧ଟି ବ୍ଲକ୍ ରେ ୧୯ପ୍ରତିଶତରୁ ୩୯ ପ୍ରତିଶତ ବର୍ଷା ହୋଇଛି । ୧୦୩ଟି ବ୍ଲକ୍ରେ ସ୍ୱାଭାବିକ ଭାବେ ୧୯ ପ୍ରତିଶତରୁ ଅଧିିକ ବର୍ଷା ହୋଇଛି । ୧୫୩ଟି ବ୍ଲକ୍ ରେ ସ୍ୱାଭାବିକ ବର୍ଷା ହୋଇଛି ।
ଗଜପତି , ଜଗତସିଂହପୁର , ଗଂଜାମ , ବାଲେଶ୍ୱର , କନ୍ଧମାଳ , ସୁବର୍ଣ୍ଣପୁର , ଭଦ୍ରକ ,ସମ୍ବଲପୁର , ଢେଙ୍କାନାଳ , କୋରାପୁଟ , ବରଗଡ , ଝାରସୁଗୁଡା , ବୌଦ୍ଧ , ନୟାଗଡ , କେନ୍ଦୁଝର , ମୟୁରଭଂଜ , ଦେବଗଡ ଓ ନବରଙ୍ଗପୁର ଆଦି ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଅନ୍ୟପକ୍ଷରେ ଖୋର୍ଦ୍ଧା ,ପୁରୀ , ମାଲକାନଗିରି , କଳାହାଣ୍ଡି , ରାୟଗଡା ,କେନ୍ଦ୍ରାପଡା , କଟକ ଓ ଯାଜପୁରରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।