ଆଇସିୟୁରେ ରୋଗୀର ଆଖି ଖାଇଗଲା ମୂଷା

May 18, 2022 - 05:41
 59
ଆଇସିୟୁରେ ରୋଗୀର ଆଖି ଖାଇଗଲା ମୂଷା
ଜୟପୁର: ସରକାରୀ ମେଡିକାଲରେ ଚରମ ଅବ୍ୟବସ୍ଥା । ହସ୍ପିଟାଲ ଆଇସିୟୁରେ ରୋଗୀର ଆଖି ଖାଇଗଲା ମୂଷା । ଜଣେ ମହିଳା ପକ୍ଷାଘାତ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଏକ ମୂଷା ତାଙ୍କ ଆଖି ଖାଇଦେଇଛି । ଏହି କଥା ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ । ସମସ୍ତଙ୍କୁ ତାଜୁବ କଲାଭଳି ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ କୋଟାର ଏକ ସରକାରୀ ହସ୍ପିଟାଲରେ । ସୂଚନା ଅନୁଯାୟୀ, ମହାରାଓ ଭୀମସିଂହ ହସ୍ପିଟାଲରେ ରୂପବତୀ ବିତେ ନାମକ ୨୮ ବର୍ଷୀୟା ମହିଳା ଭର୍ତ୍ତି ହୋଇଥିଲେ । ଗତ ୪୬ ଦିନ ଧରି ସେ ହସ୍ପିଟାଲର ନ୍ୟୁରୋ ଷ୍ଟ୍ରୋକ ୟୁନିଟରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ପୂରା ଶରୀର ପାରାଲାଇଜ୍ ରହିଛି । ଶରୀରର କୌଣସି ବି ଅଙ୍ଗ ହଲଚଲ ହେଉନାହିଁ । ମହିଳାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ ଏକ ମୂଷା ରୂପବତୀଙ୍କ ଆଖିକୁ ଖାଇଯାଇଛି । ତାଙ୍କ ସ୍ବାମୀଙ୍କ କହିବାନୁଯାୟୀ, ''ସେ ସୋମବାର ସକାଳ ନିଜ ସ୍ତ୍ରୀଙ୍କ ସହ ଆଇସିୟୁରେ ଥିଲେ । ଏହି ସମୟରେ ଗୋଟିଏ ମୂଷା ସ୍ତ୍ରୀଙ୍କ ଆଖି ଉପରେ ଥିଲା । ରୂପବତୀ ସାମାନ୍ୟ ହଲଚଲ ହେବାରୁ ତାଙ୍କ ନିଦ ଭାଙ୍ଗି ଯାଇଥିଲା । ଏହାପରେ ସ୍ତ୍ରୀଙ୍କ ଆଖିରୁ ରକ୍ତ ଝରୁଥିବାର ସେ ଦେଖିବାକୁ ପାଇଥିଲେ ।''ଏହି ଘଟଣା ସମ୍ପର୍କରେ ସେ ଡାକ୍ତରଙ୍କୁ ଜଣାଇଥିଲେ । ଏହାପରେ ଡାକ୍ତର ଚକ୍ଷୁ ବିଭାଗର ଡାକ୍ତରଙ୍କ ସହ ଆଲୋଚନା କରି ଉପଚାର ବତାଇଥିଲେ । ଏପରିକି ଦରକାର ପଡିଲେ ମହିଳାଙ୍କ ଆଖି ସର୍ଜରୀ କରାଯିବ ବୋଲି ଡାକ୍ତର କହିଥିବା ସୂଚନା ମିଳିଛି । ବର୍ତ୍ତମାନ ଏହି ମାମଲାର ସତ୍ୟସତ୍ୟତା ଯାଞ୍ଚ କରାଯାଉଥିବା ହସ୍ପିଟାଲରେ ଡେପୁଟି ସୁପରିଟେଣ୍ଡଣ୍ଟ ଜଣାଇଛନ୍ତି ।