ବର୍ଷାରେ ମାଲଗୋଦାମରେ ବ୍ୟାପକ କ୍ଷତି, ୧୦ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ନଷ୍ଟ

Apr 7, 2023 - 06:22
 27
ବର୍ଷାରେ ମାଲଗୋଦାମରେ ବ୍ୟାପକ କ୍ଷତି, ୧୦ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ନଷ୍ଟ
କଟକ: ଆଜି ପ୍ରବଳ ବର୍ଷାରେ ମାଲଗୋଦାମରେ ବ୍ୟାପକ କ୍ଷତି ଘଟିଛି। ବର୍ଷା ଜଳ ନିଷ୍କାସନ ହେଉ ନଥିବାରୁ ମାଲଗୋଦାମ ଭିତରେ ତିନି ଫୁଟ୍ ଉଚ୍ଚର ପାଣି ଜମି ରହିଛି। ପାଣି ଜମି ରହୁଥିବାରୁ ପାଖାପାଖି ୧୦ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ୫୦ଟି ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରହୁଥିବା କାଉଣ୍ଟରରେ ପାଣି ପଶିଯାଇଛି। ଏହି କାଉଣ୍ଟରରେ ଥିବା ଡାଲି, ଚିନି, ଚୁଡ଼ା, ଅମୁଲ୍ ସ୍ପ୍ରେ, ହର୍ଲିକ୍ସ, ଗୋଖାଦ୍ୟ, ଚାଉଳ ଇତ୍ୟାଦି ନଷ୍ଟ ହୋଇଥିବାରୁ ମାଲଗୋଦାମ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ମାଲଗୋଦାମର ସମସ୍ତ ପାଣି ମୋଟ ୭ଟି ଡ୍ରେନ୍ ଦେଇ ତାଳଦଣ୍ଡା କେନାଲରେ ନିଷ୍କାସନ ହେଉଥିଲା। କିନ୍ତୁ ତାଳଦଣ୍ଡା କେନାଲ ସମ୍ପ୍ରସାରଣ କାମ ଚାଲିଥିବାରୁ ଜଳସେଚନ ବିଭାଗ ପକ୍ଷରୁ ଏହାକୁ ବନ୍ଦ କରି ଦିଆଯାଇଛି। ପାଣି ନିଷ୍କାସନ ପାଇଁ ମାଲଗୋଦାମ ବ୍ୟବସାୟୀ ଗୋଟିଏ ଡ୍ରେନକୁ ତାଡ଼ି ଦେଇଛନ୍ତି। ପ୍ରଶାସନ ପକ୍ଷରୁ ମାଲଗୋଦାମ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ପାର୍ଶ୍ବରେ ଏକ ସମ୍ପ୍ କରିଛନ୍ତି। ସେଠୁ ଗୋଟିଏ ମଟର ଯୋଗେ ତାଳଦଣ୍ଡା କେନାଲ ଦେଇ ସଫେଇ କେନାଲରେ ମାଲଗୋଦାମର ପାଣି ନିଷ୍କାସନ ନେଇ ଯେଉଁ ଯୋଜନା ହୋଇଛି, ଏଥିରେ ପାଣି ପର୍ଯ୍ୟାପ୍ତ ପରିମାଣରେ ନିଷ୍କାସନ ହୋଇପାରୁ ନାହିଁ। ପୁଷ୍ପାଞ୍ଜଳି ଲଜିଂ ନିକଟରେ ଥିବା କଲଭର୍ଟ ନିକଟରେ ଏକ ୪ଫୁଟିଆ କୁଅ ନନ୍ଦ ତିନୋଟି ପକାଇ ସମ୍ପ୍ କରାଯାଇ ସେଠୁ ଏକ ପୁରୁଣା ମଟର ଯୋଗେ ପାଣି ନିଷ୍କାସନ କରାଯାଉଛି। ଏହି ମଟର ବି ଠିକ ଢଙ୍ଗରେ କାମ କରୁନଥିବାରୁ ପାଣି ନିଷ୍କାସନ ହୋଇପାରୁ ନାହିଁ।