ଅସୁରକ୍ଷିତ ସାକ୍ଷିଗୋପାଳ ମନ୍ଦିର
ସାକ୍ଷିଗୋପାଳ, ୧୫/୧୧ (ସକାଳଖବର): ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ରର ମାନ୍ୟତା ବହନ କରୁଥିବା ସାକ୍ଷିଗୋପାଳ ମନ୍ଦିର ସମ୍ପ୍ରତି ଅସୁରକ୍ଷିତ ଅବସ୍ଥାରେ । ମନ୍ଦିର ଉପର ଭାଗର ଚର୍ତୁପାଶ୍ୱର୍ରେ ଛୋଟ ଛୋଟ ବର ଓ ଅଶ୍ୱତଥ ଗଛରେ ଭର୍ତି ହୋଇ ରହିଥିବା ବେଳେ ଅଁଳା ନବମୀ ପାଇଁ ତରବରିଆ ଭାବେ ଏହାକୁ କଟାଯାଇ କାମ ଚଳାଇ ନେବାକୁ ମସୁଧା ଚାଲିଛି । କିନ୍ତୁ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ପଥର ସନ୍ଧିରେ ଗଛ ଚେରରେ ପାଣି ରହି ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଫାଟ ଗୁଡିକର ମରାମତି କରାଗଲା ନାହିଁ କିମ୍ବା ଏନେଇ କୌଣସି ପ୍ରତିଶେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଗଲାନାହିଁ । କେବଳ ଲୋକ ଦେଖାଣିଆ ଭାବେ ଛୋଟ ଛୋଟ ଗଛ ଗୁଡିକୁ କଟାଯାଇଛି, ତନ୍ମଧ୍ୟରୁ କିଛି ଉପାଡି ଦିଆଯାଇଛି । ଯାହାକି ବର୍ଷକ ପରେ ପୁଣି ସି୍ଥତି ଯଥା ପୂର୍ବଂ ତଥା ପରଂ ହେବାର ସମ୍ଭାବନା ରହିଛି । ଏପରିକି ଅତୀତରେ ମନ୍ଦିରର ଅଁଳା ବେଢ଼ା ଓ ଅନ୍ୟାନ୍ୟ ସ୍ଥାନରୁ ପଥର ଖସିବାର ମଧ୍ୟ ନଜିର ରହିଛି । ବିଶେଷ କରି ରକ୍ଷଣାବେକ୍ଷଣା ଅଭାବରୁ ଏଭଳି ସ୍ଥିତି ଉପୁଜିଛି । ଏପରି ସ୍ଥିତିରେ ପ୍ରଶାସନ ଆଗକୁ ଅଁଳା ନବମୀ ପାଇଁ ‘ବାହାଘର ବେଳେ ବାଇଗଣ ରୁଆ’ ସଦୃଶ ଯେନ ତେନ ପ୍ରକାରେଣ କାମ ଚଳାଇ ନେବାକୁ ମସୁଧା ଚଳାଇଛି । ମନ୍ଦିର ସମ୍ମୁଖରେ ଭକ୍ତଙ୍କ ପାଦ ପ୍ରକ୍ଷାଳନ ନିମନ୍ତେ ଉଦ୍ଧିଷ୍ଟ ସ୍ଥାନ ଶିଉଳିରେ ଭର୍ତି ହୋଇ ରହିଛି । ଅନ୍ୟପକ୍ଷରେ ମନ୍ଦିରର ଏପରି ଦୁରାବସ୍ଥା ପାଇଁ ପ୍ରଶାସନ ଓ ରାଜ୍ୟ ପ୍ରତ୍ନତତ୍ୱ ବିଭାଗର ଅପରାଗତାକୁ ଦାୟୀ କରିଛନ୍ତି ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ । ବର୍ଷକେ ଥରେ ଅଁଳା ନବମୀ ଓ ରାଧା ପାଦଦର୍ଶନ ସରିଲେ ପ୍ରଶାସନ ମନ୍ଦିର କଥା ମନରୁ ପାସୋରି ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି ।
ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ମନ୍ଦିରର ସୁରକ୍ଷା ପାଇଁ ପୁରାତନ ଶିଳ୍ପୀମାନେ ମନ୍ଦିର ଉପରେ ଦେଇଥିବା ଚୁନ ପ୍ରଲେପ ଓ ସିମେଟ୍ କୋଟିଂକୁ ସୌନ୍ଦର୍ଯ୍ୟକରଣ ନାମରେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଛଡାଯିବା ପରେ ୨୦୦୦ ମସିହା ଠାରୁ ମନ୍ଦିର ପ୍ରକତି ବିପଦ ସୃଷ୍ଟି ହୋଇଛି । ଏହି କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି । ସମ୍ପ୍ରତି ଭୁବନେଶ୍ୱର, ପୁରୀ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବା ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣା କ୍ଷେତ୍ରରେ ବିଭାଗ ଯେତିକି ଗୁରୁତ୍ୱ ଦେଉଛି, ତଦନୁଯାୟୀ ସାକ୍ଷୀଗୋପାଳ ମନ୍ଦିର ପ୍ରତି ଆନ୍ତରିକତା ନଥିବା ପ୍ରତିୟମାନ ହେଉଛି ।
ଏନେଇ ମନ୍ଦିର କାର୍ଯ୍ୟନିର୍ବାହି ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ, ଏ ସମ୍ପର୍କରେ ପୂର୍ବରୁ ରାଜ୍ୟ ପ୍ରତ୍ନତତ୍ୱ ବିଭାଗକୁ ଅବଗତ କରାଯାଇଛି । ଏପରିକି ୩୦ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇ କାମ ସରିଛି, ତେବେ କାମର ଗୁଣବତା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ ଦୁଇ ମାସ ତଳେ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେତେବେଳେ ଗଣମାଧ୍ୟମରେ ମନ୍ଦିରର ଦୁରବସ୍ଥା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ କହିଥିଲେ ସୁଦ୍ଧା ବର୍ତମାନ ସୁଦ୍ଧା କୌଣସି ଠୋସ୍ ପଦକ୍ଷେପ ନନେବା ଘଟଣାରୁ ଜିଲ୍ଲାପାଳ ମଧ୍ୟ ମନ୍ଦିର ଦୁରବସ୍ଥା ସମ୍ପର୍କରେ ସବୁ ଜାଣି ନିରବ ରହୁଛନ୍ତି କିମ୍ବା ମନ୍ଦିର ଦୁରବସ୍ଥା କଥା ମନୋରି ପାସୋରି ଗଲେ ତାହା ଏଠାରେ ମୁଖ୍ୟ ଆଲୋଚ୍ୟର ପ୍ରସଙ୍ଗ ହୋଇଛି ।