ଜନ୍ମାନ୍ଧ ୨ ଭାଇଙ୍କୁ ମିଳୁନି ସରକାରୀ ସହାୟତା

Nov 15, 2018 - 16:20
 188
ନୂଆପଡା, ୧୫/୧୧ (ସକାଳଖବର): ନୂଆପଡା ଜିଲ୍ଲା ବୋଡେନ ବ୍ଲକ କରଙ୍ଗାମାଲ ପଂଚାୟତର ବାଗପଡାରେ ଜନ୍ମରୁ ୨ ଭାଇ ଅନ୍ଧ ଜୀବନ ବିତାଉଥିବା ଅଭିଯୋଗ ହେଉଛି । କରଙ୍ଗାମାଲ ପଂଚାୟତର ବାଗପଡାରେ ବାପା ଘନଶ୍ୟାମ ବାଗ ଓ ମାଁ ରେବତୀଙ୍କ ୨ ପୁଅ ରୋହିତ ଏବଂ ମକରଧ୍ୱଜ ଅଛନ୍ତି । ହେଲେ ଏହି ସୁନ୍ଦର ପରିବାରରେ ବାପା ମାଆ ଓ ଦୁଇ ପୁଅଙ୍କୁ ମିଶାଇ ୪ ଜଣ ସଦସ୍ୟ । ୨ ପୁଅ ଜନ୍ମରୁ ଅନ୍ଧ । ଫଳରେ ଏହି ପରିବାର ଦାରିଦ୍ର୍ୟ ଜୀବନ ଅତିବାହିତ କରୁଥିବା ଅଭିଯୋଗ ହେଉଛି । ବର୍ତମାନ ବାପା ଓ ମାଆ ବୟସର ଅପରାହ୍ନରେ ଉପନିତ ହୋଇଥିବା ବେଳେ ୨ ପୁଅ ବାପା ମାଙ୍କ ସେବା କରିବା ପରିବର୍ତେ ବାପା ମାଆ ସେମାନଙ୍କ ସେବା କରୁଛନ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ବ୍ୟଥିତ କରିଛି ସମସ୍ତଙ୍କୁ । ତଥାପି ଏହି ଦୁନିଆରେ ହାର ମାନି ନାହାନ୍ତି ୨ ଭାଇ । ଭଗବାନ ସିନା ଦୃଷ୍ଟି ଶକ୍ତି ଦେଇନାହାନ୍ତି ହେଲେ ୨ ଭାଇଙ୍କ ମନରେ ଦୃଢ଼ ମନୋବଳ ଭରି ଦେଇଛନ୍ତି । ଖାସ୍ ସେଥିପାଇଁ ୨ ଭାଇ ଭିକ୍ଷା ବୃତି କରିବାକୁ ଯାଇଥାନ୍ତି । ବଡ ଭାଇ ରୋହିତ ଭଲ ଗୀତ ଗାଉଥିବା ବେଳେ ସାନ ଭାଇ ମୃଦଙ୍ଗ ବଜାଇଥାନ୍ତି । ଆଉ ଦୁହେଁ ଦୁହିଁଙ୍କ ସାହାରା ହୋଇ କିଛି ରୋଜଗାର କରିଥାନ୍ତି । ଯଦି କେବେ ଏହି ୨ ଭାଇଙ୍କ ମଧ୍ୟରୁ ଜଣେ ଅସୁସ୍ଥ ହୋଇ ଯାଆନ୍ତି ତେବେ ରୋଜଗାର ବନ୍ଦ । ଏହା ସତ୍ୱେ ବୃଦ୍ଧ ବାପା ମାଆ ୨ ପୁଅଙ୍କ ସେବା କରିବାରେ ଅବହେଳା କରନ୍ତି ନାହିଁ । ନିଜ ସାମର୍ଥ୍ୟ ଅନୁସାରେ ୨ ଅନ୍ଧ ପୁଅଙ୍କ ସେବା କରିଥାନ୍ତି ବାପା ମାଆ । ଅନ୍ୟପଟେ ସରକାରଙ୍କ ସମସ୍ତ ଯୋଜନାରୁ ଏହି ପରିବାର ବଂଚିତ । ଅନେକ ଥର ଏହି ୨ ଭାଇ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବା ପାଇଁ ଆବେଦନ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାର ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏହି ଅସହାୟ ପରିବାରଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ଏ ବିଷୟରେ ବୋଡେନ ଗୋଷ୍ଠି ଉନ୍ନୟନ ଅଧିକାରୀ ମନୋଜ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରୁ ଏହି ପରିବାରକୁ କଳାକାର ଭତା, ଭିନ୍ନକ୍ଷମ ଭତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ସହ ପାଇଖାନା ଅତିଶିଘ୍ର ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ ।