ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ

Aug 14, 2022 - 07:11
 49
ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କିମି ଏବଂ ବାଲେଶ୍ୱର ଠାରୁ ପୂର୍ବ-ଉତ୍ତର-ପୂର୍ବ ଦିଗରେ ୯୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ ଅବପାତ। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହି ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଦିଘା ନିକଟରେ ପଶ୍ଚିମ-ବଙ୍ଗ ଉପକୂଳକୁ ଅତିକ୍ରମ କରିବ। ତେବେ ଆଗାମୀ ୨୪ ଘଣ୍ଟା ଯାଏଁ ଏହା ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୧ଟି ସ୍ଥାନରେ ଅତିପ୍ରବଳ ବର୍ଷା (୧୧୫.୬ମିମିରୁ ୨୦୪.୪ମିମି) ହୋଇଥିବା ବେଳେ ୭୩ଟି ସ୍ଥାନରେ ପ୍ରବଳ ବର୍ଷା (୬୪.୫ରୁ ୧୧୫.୫ମିମି) ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇଛି।