ଅନ୍ଧ ବିଶ୍ୱାସର ନିଷ୍ଠୁର ପରିଣାମ

Sep 14, 2018 - 18:53
 159
କନ୍ଧମାଳ,୧୪/୯ (ସକାଳଖବର): ଯୁଗ ଯେତେ ଆଗକୁ ଗଲେ ମଧ୍ୟ ଅନ୍ଧବିଶ୍ୱାସ କବଳରୁ ସତ ଯେମିତି ମୁକୁଳି ପାରୁନି ମଣିଷ । ମାନସିକ ପୂରଣ ନିମନ୍ତେ ନିଜ ଜୀବନକୁ ବାଜି ଲଗେଇବାକୁ ବି ପଛଉନାହିଁ । ବିଜ୍ଞାନ କ୍ଷେତ୍ରରେ ମଣିଷ ଯେତେ ଆଗେଇଥିଲେ ମଧ୍ୟ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଛାଡ଼ିପାରୁନାହାନ୍ତି ଲୋକେ । ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳରେ । ବାଲିଗୁଡ଼ା ଭଗାମୁଣ୍ଡା ସାହିର ଦିବ୍ୟାଙ୍ଗ ଭବାନୀଶଙ୍କର ନନ୍ଦ । ବାପ ଛେଉଣ୍ଡ ଦିବ୍ୟାଙ୍ଗ ଭବାନୀଶଙ୍କର ଗତ ଦୁଇବର୍ଷ ହେବ ନିଜ ଶରୀର ଆରୋଗ୍ୟ କାମନାକରି ଶରଣ ପଶିଥିଲେ ମହାମାୟୀ ଠାକୁରାଣୀଙ୍କ ନିକଟରେ । ଭବାନୀ ଶଙ୍କରଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି । ମନ୍ଦିର କମିଟି ସଭାପତି ଓ ଅନ୍ୟ କର୍ମକର୍ତା ଦିବ୍ୟାଙ୍ଗ ଭବାନୀଶଙ୍କରଙ୍କୁ ମନ୍ଦିରରେ ରହିବାର ସୁଯୋଗ ଦେଇଥିଲେ । ଅର୍ଥାଭାବରୁ ଭବାନୀଶଙ୍କର ମନ୍ଦିରରେ ରହି ମହାମାୟୀ ଠାକୁରାଣୀଙ୍କ ନିକଟରେ ଶରୀର ଆରୋଗ୍ୟ ହେବାର ମାନସିକ ନେଇ ପୂଜାବିଧି ମାଧ୍ୟମରେ ଆରୋଗ୍ୟ ହେବା ପାଇଁ ଚେଷ୍ଟା କରି ଆସୁଥିଲେ । ଗତ ଶନିବାରଦିନ ମହାମାୟୀ ମନ୍ଦିରେ ପୂଜା ଚାଲିଥିବା ସମୟରେ ଭବାନୀ ଶଙ୍କରକୁ ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ କରି ବନ୍ଧାଯାଇ ଝୁଣାନିଆଁରେ ଧାସ ଦିଆଯାଉଥିଲା । ନିଆଁ ଧାସରେ ଦିବ୍ୟାଙ୍ଗଙ୍କ ଶରରୀର କିଛି ଅଂଶ ପୋଡିଯିବା ସହିତ ସେ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ମନ୍ଦିର ପରିସରରେ ଗୁପ୍ତ ଭାବରେ ରଖି ମନ୍ଦିର କମିଟି ତରଫରୁ ଘରୋଇ ଚିକିସôା କରାଯାଇଥିଲା । ଦିବ୍ୟାଙ୍ଗଙ୍କ ବଡ଼ଭାଇ ଘଟଣା ସମ୍ପର୍କରେ ଖବରପାଇ ମନ୍ଦିର ଆଗରେ ଯାଇ ଗାଳିଗୁଲଜ କରିବାପରେ ଘଟଣା ଲୋକ ଲୋଚନକୁ ଆସିଥିଲା । ଗତ ଶନିବାର ଦିନ ଘଟଣା ଘଟିବା ସମୟରେ କିଛି ପ୍ରତ୍ୟେକ୍ଷଦର୍ଶୀ ଓ ଭକ୍ତ ଏହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଥିଲେ । ଏହି ଭିଡିଓ ଏବଂ ଫୋଟୋ ଭାଇରାଲ ହେବାପରେ ଏଥିରେ ପୋଲିସ ହସ୍ତକ୍ଷେପ କରିଥିବା ଜଣାପଡ଼ିଛି । ଗତକାଲି ରାତିରେ ପୋଲିସ୍ ମନ୍ଦିରରେ ପହଂଚି ପୋଡ଼ିଯାଇଥିବା ଭାବାନୀ ଶଙ୍କରଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିସôାଳୟରେ ଭର୍ତି କରାଇଛି । ଭବାନୀ ଶଙ୍କରକୁ ଝୁଣା ନିଆଁରେ ଝୁଲିବାପାଇଁ ମହାମାୟୀଙ୍କ ସ୍ୱପ୍ନାଦେଶ ହୋଇଥିବା କଥା ମନ୍ଦିର ସଭାପତିଙ୍କୁ ଜଣାଇଥିଲେ ବୋଲି କୁହାଯାଉଛି । ତେବେ ଚିକିସôା ବେଳେ ନିଆଁରେ କେବଳ ଧାସ ବାଜିଛି କିନ୍ତୁ ଦୀପ ଜଳାଯାଇଥିବା ଗରମ ବାଲିରେ ପଡ଼ି ମୋ ଦେହ ପୋଡ଼ିଛି ବୋଲି କହିଛନ୍ତି ଦିବ୍ୟାଙ୍ଗ । ସେପଟେ ଏକଥାରେ ସହମତି ଜଣାଇଛନ୍ତି ମନ୍ଦିର ସଭାପତି । ଅନ୍ୟପକ୍ଷରେ ଡାକ୍ତରଙ୍କ ସୂଚନା ଅନୁଯାୟୀ, ଦିବ୍ୟାଙ୍ଗଙ୍କ ଶରୀରର ମାତ୍ର ଶତକଡ଼ା ୧୩ଭାଗ ପୋଡ଼ିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ଯାହାବି ହେଉ ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ଜିଲ୍ଲାରେ ବିଭିନ୍ନ ସମୟରେ ପାରମ୍ପାରିକ ଯାତ୍ରାହୁଏ ଯେଉଁଥିରେ ବଳୀ ପଡ଼ନ୍ତି ଶହଶହ ନିରୀହ ଜୀବ । ଏଥିସହ ଛୋଟଛୋଟ ଶିଶୁ ମାନଙ୍କୁ ଆରୋଗ୍ୟ ନିମନ୍ତେ ଚେଙ୍କ ଦିଆଯିବା ଭଳି ଚିକିତ୍ସା ମଧ୍ୟ କରାଯାଏ । ଏଥିପାଇଁ ଆହୁରି ସଚେତନତାର ଆବଶ୍ୟକତା ରହିଥିବା ନେଇ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।