ଅନ୍ଧ ବିଶ୍ୱାସର କୁପରିଣତି, ୩ ବର୍ଷରେ ଗଢିଲାଣି ୨୪୦ମୁଣ୍ଡ
କଟକ, ୧୩/୧୦ (ସକାଳଖବର): ଯୁଗର ଅନେକ ପରିବର୍ତ୍ତନ ହୋଇଥିବାବେଳେ ସମଗ୍ର ରାଜ୍ୟରେ ଗୁଣି ଗାରେଡ଼ି ଓ ଅନ୍ଧ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ଏହି ଅନ୍ଧ ବିଶ୍ୱାସ ଫଳରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଗୁଣି ଗାରେଡିକୁ ସନେ୍ଦହ କରି ଅନେକ ସମୟରେ ଲୋକଙ୍କୁ ହତ୍ୟା କରାଯାଉଛି । ଏହା ଏକ ଅନ୍ଧ ବିଶ୍ୱାସ ହୋଇଥିବା ବେଳେ ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ । କିନ୍ତୁ ଏହାକୁ ରୋକିବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ୨୦୧୪ ମସିହାରେ ‘ପ୍ରିଭେନସନ ଆକ୍ଟ ଅଫ ୱିଚ୍ ହଟିଙ୍ଗ’ ନାମରେ ଏକ ଆଇନ ପ୍ରଣୟନ କରାଯାଇଥିଲା । ତେବେ ଏହି ଆଇନ ପ୍ରଣୟନ ହେବା ପରେ ଏହାକୁ ରୋକିବା ଏବଂ ଲୋକଙ୍କ ମଧ୍ୟରେ ସଚେତନା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କର୍ମଶାଳା ମଧ୍ୟ ଆୟୋଜନ କରାଯାଇଛି । ତଥାପି ଏପରି ମାମଲା ବଢିବାରେ ଲାଗିଛି । ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ଅଭାବ, ସଚେତନତା କାର୍ଯ୍ୟକ୍ରମ ନେବା କାରଣରୁ ଏଭଳି କାଣ୍ଡ ବଢିବାରେ ଲାଗିଛି । ତେବେ ନ୍ୟାସନାଲ କ୍ରାଇମ ରେକର୍ଡ ବୁ୍ୟରୋ(ଏନସିଆରବି) ତଥ୍ୟ ଅନୁସାରେ ଓଡିଶାର ସ୍ଥାନ ଦ୍ୱିତୀୟ ରହିଥିବାବେଳେ ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ରହିଛି । ତେବେ ୨୦୧୬ରେ ଝାଡ଼ଖଣ୍ଡରେ ୨୭ ହତ୍ୟାକାଣ୍ଡ ଘଟିଥିବାବେଳେ ଓଡିଶାରେ ୨୪ ହତ୍ୟାକାଣ୍ଡ ମାମଲା ହୋଇଥିଲା । ତେବେ ସମଗ୍ର ଭାରତରେ ୧୩୪ଲୋକଙ୍କୁ ହତ୍ୟା କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁସାରେ ସମଗ୍ର ଓଡ଼ିଶାରେ ଗୁଣି ଗାରେଡିକୁ ନେଇ ୨୦୧୪ ମସିହାରେ ୨ଟି ମାମଲା ରୁଜୁ କରାଯାଇଥିଲା । ସେହିପରି ୨୦୧୫ମସିହାରେ ୫୮ଟି ମାମଲା ରୁଜୁ କରାଯାଇଥିବାବେଳେ ୨୦୧୬ରେ ୮୩ଟି ମାମଲା ଓ ୨୦୧୭ରେ ୯୯ଟି ମାମଲା ରୁଜୁ କରାଯାଇଛି । ତେବେ ୨୦୧୭ମସିହାରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ସର୍ବାଧିକ ୭୦ପ୍ରତିଶତ ମାମଲା କେବଳ ମୟୂରଭଞ୍ଜ, ନବରଙ୍ଗପୁର, କେନ୍ଦୁଝର ଜିଲାର ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ସେହିପରି ଗୁଣିଗାରେଡିକୁ ନେଇ ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲାରେ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି । ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ଅଭାବ ସାଙ୍ଗକୁ ଉନ୍ନୟନମୂଳକ କାର୍ଯ୍ୟରେ ଶିଥିଳତା ପାଇଁ ଏପରି ମାମଲା ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି । ଗତବର୍ଷ ମାର୍ଚ୍ଚ ମାସରେ ଏପରି ଏକ ସମ୍ବେଦନଶୀଳ ଘଟଣା ଝାରସୁଗୁଡା ଜିଲାରେ ଘଟିଥିଲା । ୨ଜଣ କଲେଜ ଛାତ୍ରୀ ହତ୍ୟାର ଶିକାର ହୋଇଥିଲେ । ତେବେ ଏହା ଗୋଟେ ଅପରାଧିକ ମାମଲା ହୋଇଥିବାବେଳେ ଲୋକ ମାନେ ଜାଣିବା ଦରକାର । ଏପରି କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକମାନଙ୍କ ବିରୋଧରେ ମାମଲା ରୁଜୁ ହେବା ଆବଶ୍ୟକ । ଏହି ଅନ୍ଧ ବିଶ୍ୱାସ ଗ୍ରାମାଞ୍ଚଳରେ ଅଧିକ ରହିଛି । ଗ୍ରାମାଞ୍ଚଳରେ ଏହି ଅପରାଧ ଅଧିକ ହେଉଥିବାରୁ ସେମାନଙ୍କୁ ଅଧିକ ସଚେତନ କରିବା ଆବଶ୍ୟକତା । ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ ଅଧିକାରୀ, ପଞ୍ଚାୟତ ରାଜ ବ୍ୟବସ୍ଥାରେ ଥିବା ବ୍ୟକ୍ତିମାନେ ସଚେତନତା କରିପରିଲେ ଭଲ ହୁଅନ୍ତା । ଏହା ସହିତ ସ୍କୁଲ ଓ କଲେଜ ଗୁଡିକରେ ସଚେତନତା କରାଗଲେ ଏହାକୁ ରୋକାଯାଇ ପାରିବ ବୋଲି ବହୁ ବୁଦ୍ଧିଜୀବୀ, ଆଇନଜୀବୀ ମତ ଦିଅନ୍ତି ।