୧୨ରେ ହିଞ୍ଜିଳିକାଟୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

Dec 9, 2021 - 05:16
 71
୧୨ରେ ହିଞ୍ଜିଳିକାଟୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ହିଞ୍ଜିଳିକାଟୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଗସ୍ତରେ ଆସୁଛନ୍ତି । ପ୍ରାୟ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଅର୍ଥ ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକଙ୍କ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ରୂପାନ୍ତରିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । ଏଥିସହ ଗଞ୍ଜାମ ଦର୍ଶନ ମୋ ବସ୍‌ ସେବା, ହିଞ୍ଜିଳିକାଟୁ ପୈାର ପରିଷଦ ପକ୍ଷରୁ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମଳ ବିଶୋଧନ କେନ୍ଦ୍ର ଉଦ୍‌ଘାଟନ କରିବେ ସେ । ଏଥିସହ ହିଞ୍ଜିଳିକାଟୁବ୍ଲକ୍‌ ଓ ପୈାରାଞ୍ଚଳର ପ୍ରାୟ ୧୫ଟି ପ୍ରକଳ୍ପର ଶିଳାନ୍ୟାସ କାର୍ୟ୍ୟକ୍ରମ ସ୍ଥିରୀକୃତ ହୋଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ହିଞ୍ଜିଳିକାଟୁ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ନିଜ ନିର୍ବାଚନମଣ୍ଡଳୀକୁ ପ୍ରଥମ ଗସ୍ତ ହେବ । କରୋନା ପରିସ୍ଥିତି ହେତୁ ସେ ଆସି ପାରି ନଥିଲେ । ତେବେ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍‌ ହେଉ କି ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଉଦ୍‌ଘାଟନ, ଭର୍ଚୁଆଲ୍‌ ମାଧ୍ୟମରେ ସେ ଅଞ୍ଚଳବାସୀ, ସ୍ଥାନୀୟ ଦଳୀୟ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଥିଲେ । ଏବେ ସେ ପ୍ରତ୍ୟକ୍ଷ ଭାବେ ଆସୁଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଗତ ୫ ତାରିଖରେ କାର୍ୟ୍ୟକ୍ରମ ସ୍ଥିର ହୋଇଥିଲେ ହେଁ ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ସ୍ଥଗିତ ରହିଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ କିପରି ସୁରୁଖୁରୁରେ ସମାପନ ହେବ, ଏଥିପାଇଁ ଜୋରସାରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଦକ୍ଷିଣାଞ୍ଚଳ ଡିଆଇଜି ଓ ଗଞ୍ଜାମ ଏସପି ଗସ୍ତ କରି ସ୍ଥିତି ପରଖିଛନ୍ତି । ଏହି ସମୟରେ ପୈାର ନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ସାହୁ, ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ, ହିଞ୍ଜିଳିକାଟୁ ଥାନା ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ଏବଂ ପୁରୁଷୋତ୍ତମପୁର ବ୍ଲକ୍‌୍‌ର ମା’ ତାରାତାରିଣୀ ପୀଠ ଗସ୍ତ ସାଙ୍ଗକୁ ବିଭିନ୍ନ ସରକାରୀ ଯୋଜନାର ଉଦଘାଟନ ଓ ଭିତ୍ତିପ୍ରସ୍ତର କାର୍ୟ୍ୟକ୍ରମ ରହିଛି ।