ହୋଲିରେ ଅଘଟଣ : ସାରା ଦେଶରେ ୪୩ଜଣଙ୍କ ଜୀବନ ଗଲା

Mar 9, 2023 - 06:35
 31
ହୋଲିରେ ଅଘଟଣ : ସାରା ଦେଶରେ ୪୩ଜଣଙ୍କ ଜୀବନ ଗଲା
ନୂଆଦିଲ୍ଲୀ: ସାରା ଦେଶ ବୁଧବାର ପବିତ୍ର ଉତ୍ସବ ହୋଲି ଉତ୍ସାହର ସହ ପାଳନ କରିଥିବାବେଳେ ବିଭିନ୍ନ ସ୍ଥାନରୁ ଦୁଃଖଦ ଖବର ମିଳିଛି। ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୪୩ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ବିଶେଷ କରି ଓଡ଼ିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଅଧିକ ସଂଖ୍ୟକ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର ବାରବାଙ୍କି ଅଞ୍ଚଳରେ ଏକ କାର ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଏକ ମସଜିଦରେ ନମାଜ ପଢ଼ି ଆସୁଥିବା ୪ ପିଲାଙ୍କ ଉପରେ କାର ମାଡିଯିବା ପରେ ଏକ ଗଛକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳ ବାସୀ କାରଟିକୁ ଜାଳି ଦେଇଛନ୍ତି। ରାମନଗର ଥାନାଞ୍ଚଳରେ କାର–ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସାହାରନପୁର ଅଞ୍ଚଳରେ ଜଣେ ମହିଳା ବାଇକ ଚଳାଇ ଆସୁଥିବାବେଳେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଛି। ସେହିପରି ସୁଲତାନପୁର ଅଞ୍ଚଳରେ ହୋଲି ପାଳନ ପରେ କିଛି ଯୁବକ ଗୋମତି ନଦୀକୁ ଗାଧୋଇ ଯାଇଥିବାବେଳେ ବୁଡିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ନିଖୋଜ ହୋଇଯାଇଛନ୍ତି। ସେହିପରି ଲକ୍ଷ୍ନୌ ଓ ପ୍ରୟାଗରାଜ ରାଜପଥରେ କାର ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ୨ଟି ସଡକ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗରେ ଡଲ ଯାତ୍ରା ପାଳନ ବେଳେ ପ୍ରାୟ ୮ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜସ୍ଥାନର ଯୋଧପୁର ଅଞ୍ଚଳର ପୃଥକ ଦୁର୍ଘଟଣାରେ ୬ଜଣଙ୍କ ଜୀବନ ଯାଇଛି। ସେହିପରି ଦିଲ୍ଲୀର ମୁଣ୍ଡୁକା ଅଞ୍ଚଳରେ ଗୋ‌ଷ୍ଠୀ ସଂଘର୍ଷରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରେ ପାଣିରେ ବୁଡ଼ିଯିବା, ଗୋଷ୍ଠୀ ସଂଘର୍ଷ ଓ ଦୁର୍ଘଟଣାରେ ୮ ଜଣଙ୍କର ମୃ୍ତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଖବର ଲେଖାଯିବା ବେଳକୁ ହୋଲି ଦିନ ଦେଶର ବିଭିନ୍ନ ଅଞ୍ଚଳରେ ଅଘଟଣରେ ୪୩ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏହି ସଂଖ୍ୟା ଆଜି ବୃଦ୍ଧି ପାଇବା ଆଶଙ୍କା ରହିଛି।