ଶଶୁର ଘରେ ଜ୍ବାଇଁକୁ ପିଟିପିଟି ହତ୍ଯା: ୫ ଅଟକ

Mar 9, 2023 - 06:32
 29
ଶଶୁର ଘରେ ଜ୍ବାଇଁକୁ ପିଟିପିଟି ହତ୍ଯା: ୫ ଅଟକ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚାବିରିପାଲି ଗାଁରେ ଶଶୁର ଘର ଲୋକେ ଜ୍ବାଇଁ ରୁଦ୍ରମଣି ମେହେର(୩୨)କୁ ପିଟିପିଟି ହତ୍ୟା କରିଥିବା ଜଣାପଡ଼ିଛି। ହତ୍ଯାକାଣ୍ଡଟି ପାରିବାରିକ କଳହକୁ ନେଇ ହୋଇଥିବା ସୂଚନା ମିଳିଛି। ଗତକାଲି ରୁଦ୍ରମଣିକୁ ପିଟିପିଟି ହତ୍ୟା କରାଯାଇଥିଲା। ପରେ ପାଟଣାଗଡ଼କୁ ଶଶୁର ଘର ଲୋକେ ନେଇକି ଆସୁଥିଲେ। ରାତିରେ ଭୋଜି ଖାଇବା ପରେ ଗାଁକୁ ଯାଇ ରୁଦ୍ରମଣି ମେହେରର ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ଗୋଟିଏ ଚାରି ଚକିଆ ଗାଡ଼ିରେ ନେଇ ଅନ୍ୟତ୍ର ଫୋପାଡ଼ି ଦେବାର ଉଦ୍ୟମ କରୁଥିଲେ। ସେହି ସମୟରେ ଗାଁ ଲୋକେ ଗାଡ଼ିକୁ ଅଟକ ରଖି ଖପ୍ରାଖୋଲ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ସକାଳୁ ଶବ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ସିଏଚସିକୁ ଆଣିଥିବା ଜଣାପଡିଡ଼ି। ବର୍ତ୍ତମାନ ଖପ୍ରାଖୋଲ ଥାନାରେ ପାଟଣାଗଡ଼ ଏସଡିପିଓ ପହଞ୍ଚି ତଦନ୍ତ କରୁଥିବା ବେଳେ ରୁଦ୍ରଙ୍କ ପରିବାର ପକ୍ଷରୁ ମୃତକଙ୍କ ବଡ଼ଭାଇ ଖଗେଶ୍ବର ମେହେର ଖପ୍ରାଖୋଲ ଥାନାରେ ୫ ଜଣଙ୍କ ନାଁ ଥାନାରେ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ଏହି ଘଟଣାରେ ପୁଲିସ ୫ଜଣକୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି।