ହିଂଜିଳିରୁ ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୦/୩(ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ନରେ ହିଂଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସେ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ । ରିଟର୍ଣ୍ଣିଂ ଅଫିସର ସଚିଦାନନ୍ଦ ନାୟକଙ୍କୁ ସେ ନିଜର ନାମାଙ୍କନପତ୍ର ପ୍ରଦାନ କରିଥିଲେ । ଏହି ସମୟରେ ଗଂଜାମ ଜିଲ୍ଲାର ମନ୍ତ୍ରୀ , ବିଧାୟକ ଓ ସାଂସଦ , କାର୍ଯକର୍ତାମାନେ ଉପସ୍ଥିତ ଥିଲେ । ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ ଆଗାମୀ ନିର୍ବାଚନରେ ତାଙ୍କ ଦଳ ବହୁ ଆସନରେ ବିଜୟୀ ହେବ । ଖୁବ୍ ଶୀଘ୍ର ବିଜେପୁର ଯାଇ ସେଠାରେ ମଧ୍ୟ ନାମାଙ୍କପତ୍ର ଦାଖଲ କରିବେ ବୋଲି ସେ କହିଥିଲେ । ଏହା ପୂର୍ବରୁ ସେ ତାରାତାରିଣୀ ମନ୍ଦିର ଯାଇ ଦର୍ଶନ କରିବାସହ ଆଶୀର୍ବାଦ ନେଇଥିଲେ ।
ସୂଚନା ଅନୁଯାୟୀ ସକାଳ ୯ଟା୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ହେଲିକପ୍ଟର୍ ଯୋଗେ ଆସି ରାୟପୁର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ସେ ତାରାତାରିଣୀ ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ହେଲିକ୍ୟାପ୍ଟର୍ ଯୋଗେ ଯାତ୍ରା କରି ଛତ୍ରପୁର ଷ୍ଟାଡିୟମରେ ଓହ୍ଲାଇ ଥିଲେ । ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ୧୧ଟା ୧୦ ମିନିଟ୍ ସମୟରେ ଛତ୍ରପୁରସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍ ଅଫିସରଙ୍କ ନିକଟରେ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଗୁଡ଼ିକର ପ୍ରସ୍ତାବକ ଅଛନ୍ତି ସୁରେନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ପାତ୍ର, ସାରସ ସ୍ୱାଇଁ ଓ ବୈଜୟନ୍ତୀମାଳା ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ସ୍ଥାନୀୟ ସର୍କିଟ୍ ହାଉସରେ କିଛି ସମୟ ଅବସ୍ଥାନ କରିବା ପରେ ପ୍ରାର୍ଥୀପତ୍ର ଦାଖଲ କରି ପୁଣି ଭୁବନେଶ୍ୱର ଫେରି ଯାଇଥିଲେ ।
ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି । ଗଂଜାମ ଜିଲ୍ଲାର ହିଞ୍ଜିଳି ସହିତ ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ଶ୍ରୀ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରିବେ । ହିଞ୍ଜିଳିରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପୁରରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ଏପ୍ରିଲ୍ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଓ ଏପ୍ରିଲ୍ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ ।