ସରକାରୀ ସହାୟତାକୁ ଅପେକ୍ଷା କରିଛି ବାପା ମା ଛେଉଣ୍ଡ ସ୍ୱପ୍ନା
ବୌଦ୍ଧ, ୨୫/୭(ସକାଳଖବର): ସରକାର ଗରିବ, ଭୂମିହିନ ଓ ଅସହାୟ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା ମାନ ପ୍ରସ୍ତୁତ କରୁଥିବା ବେଳେ ସମସ୍ତ ଶିଶୁ ମାନଙ୍କୁ ପାଠ ପଢାଇବାକୁ ସରକାର ବିଦ୍ୟାଳୟ ମାନଙ୍କରେ ବହି, ଖାତା, ସାର୍ଟ, ପ୍ୟାଂଟ, ସାଇକଲ ସହ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରୁଛନ୍ତି । ଏପରିକି ବିଭିନ୍ନ ଛାତ୍ରାବାସ ସ୍ଥାପନ କରି ଓ ସ୍ଥଳ ବିଶେଷରେ ଗରିବ ଓ ନିଃସହାୟ ଛାତ୍ରଛାତ୍ରୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରି ଅବେଳରେ ମଉଳିବାକୁ ବସିଥିବା ପିଲାଙ୍କ ଭବିଷ୍ୟତ ସଜାଡୁଛନ୍ତି । ମାତ୍ର ବାପା ମା ଛେଉଣ୍ଡ ସ୍ୱପ୍ନା ଓ ତା’ର ୨ ଭାଇଙ୍କ ବେଳକୁ ନେତା ଓ ପ୍ରଶାସନ ସମସ୍ତେ ଚୁପ୍ । ସମସ୍ତ ଯୋଜନାରୁ ବଂଚିତ ହୋଇ ସ୍ୱପ୍ନା ଓ ତା’ର ୨ ଭାଇ ଶୈଶବରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଇନ୍ଦିରାସାହିରେ ।
ନାବାଳିକା ସ୍ୱପ୍ନା କହଁର । ବାପା ୨ ବର୍ଷ ତଳୁ ଆର ପାରିକୁ ଚାଲିଯିବା ପରେ ମା ମଧ୍ୟ ସ୍ୱପ୍ନା ଓ ତାଙ୍କର ୨ ଭାଇଙ୍କୁ ଛାଡି କେଉଁ ଆଡେ ଚାଲି ଯାଇଛନ୍ତି । ଏବେ ବୁଢା ଅଜା ଆଇଙ୍କ ପାଖରେ ରଖି ରାହା ଖୋଜୁଛନ୍ତି ସ୍ୱପ୍ନା ଓ ତାଙ୍କର ୨ ଭାଇ । ମା’ର ଆସିବା ବାଟକୁ ଅନାଇ ଅନାଇ ଆଖିରୁ ଲୁହ ଶୁଖୁନି ସ୍ୱପ୍ନାର । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଇନ୍ଦିରାସାହିର ଅତି ଅସହାୟ ଅବସ୍ଥାରେ ରହୁଛନ୍ତି ସ୍ୱପ୍ନା ଏବଂ ତାଙ୍କର ୨ ଭାଇ ସିଦ୍ଧାନ୍ତ ଓ କାହ୍ନା । ବାପା ୫ ବର୍ଷ ରୋଗରେ ପଡିଲେ । ଘରେ ଯାହା ଥିଲା ସବୁକିଛି ବିକିଭାଙ୍ଗି ବାପାଙ୍କ ଚିକିତ୍ସା କରାଗଲା । ହେଲେ ୨ ବର୍ଷ ତଳେ ଆରପାରିକୁ ଚାଲିଯାଇଥିଲେ ବାପା । ସେତେବେଳକୁ ନିଜ ଘର ଖଣ୍ଡକ ମଧ୍ୟ ବିକ୍ରି ହୋଇସାରିଥିଲା । ପରେ ପରେ ମା ମଧ୍ୟ ମମତା ଭୁଲି କେଉଁଆଡେ ଚାଲିଗଲା । ଫଳରେ ସେମାନେ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିବା ପରେ ବୁଢା ଅଜା ଆଇ ତାଙ୍କୁ ଆଣି ନିଜ ଘରେ ଆଶ୍ରୟ ଦେଇଥିଲେ ହେଁ ପାଠ ପଢାଇବାକୁ କି ଭଲରେ ଖାଇବା ଓ ପିନ୍ଧିବା ଦେବାରେ ଅସମର୍ଥ । ତେଣୁ ସ୍ୱପ୍ନା ଓ ତା’ର ୭ ବର୍ଷର ସାନ ଭାଇର ପାଠପଢାରେ ଡୋରି ଲାଗିଯାଇଛି । ଏପଟେ ଅଜା ଲାଲେଶ୍ୱର କହଁର ବୃଦ୍ଧାବସ୍ଥା ଯୋଗୁଁ ଶଯ୍ୟାସାୟୀ ହୋଇଥିବା ବେଳେ ଆଇ ରାଜେଶ୍ୱରୀ ଏବେ ବୃଦ୍ଧା ବୟସରେ ମୁଲମଜୁରୀ କରି ୪ ପ୍ରାଣୀ କୁଟୁମ୍ବକୁ ଚଳାଉଛନ୍ତି । ଅଜାଆଇ ରାସନ କାର୍ଡରେ ୧୦ କେଜି ଚାଉଳ ପାଉଥିବା ବେଳେ ୭୦ ବର୍ଷରୁ ଉଦ୍ଧ୍ୱର୍ ହେଲିଣି ସିନା ତାଙ୍କୁ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତା ମିଳିପାରି ନାହିଁ । କେଉଁଦିନ ଚୁଲି ଜଳିଲେ ଖାଇବାକୁ ଦିମୁଠା ମିଳେତ ଆଉ କେଉଁଦିନ ଓପାସରେ ମଧ୍ୟ ରହିବାକୁ ପଡିଥାଏ । ବେଳେ ବେଳେ ସାହିପଡିଶା ଅଳ୍ପେ ବହୁତେ ଖାଇବାକୁ ସାହାଯ୍ୟ କରିଥାନ୍ତି । ଅଜାଆଇଙ୍କ ଘରର ଅବସ୍ଥା କଥା ନକହିବା ଭଲ । ଅନ୍ୟପଟେ ସ୍ୱପ୍ନାର ୧୩ ବର୍ଷୀୟ ସାନଭାଇ ସିଦ୍ଧାନ୍ତ ଶିଶୁ ଅବସ୍ଥାରେ ପରିବାରର ଅଭାବ ପୁରଣ କରିବାକୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛି ଯେ, କିଛିମାସ ହେଲା ତାର ମଧ୍ୟ ଖୋଜଖବର ମିଳୁନାହିଁ । ଏ ଭଳି ପରିସ୍ଥିତିରେ ସେମାନଙ୍କୁ ଆଶ୍ୱାସନା ଦେବାକୁ ମଧ୍ୟ କେହି ନାହିଁ । ଏସବୁ ହୃଦୟବିଦାରକ ଯନ୍ତ୍ରଣାକୁ ଛାତିରେ ଚାପିଧରି ପ୍ରତ୍ୟେକ ମୁହୁର୍ତରେ ବାପା ମା ଭାଇଙ୍କୁ ମନେ ପକାଇ ଭାଗ୍ୟକୁ ଆଦରି ରହିଛି ସ୍ୱପ୍ନା ।