ଶୂନ୍ୟକାଳରେ ଚାଲେଞ୍ଜ କଲେ ଜୟନାରାୟଣ

Feb 23, 2023 - 08:00
 33
ଶୂନ୍ୟକାଳରେ ଚାଲେଞ୍ଜ କଲେ ଜୟନାରାୟଣ
ଭୁବନେଶ୍ୱର: ବିଧାନସଭାର ଦ୍ୱାଦଶ ତଥା ବଜେଟ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଗତ ଦୁଇ ଦିନ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରିନଥିବାବେଳେ ଆଜି ସୁରୁଖୁରୁରେ ପ୍ରଶ୍ନକାଳ ଚାଲିଥିଲା । ତେବେ ଆଜି ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଚ୍ୟାଲେଞ୍ଜ କରିଛନ୍ତି । ସରକାରଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି ଯେ ଯଦି ମୁଁ ଅପରାଧୀ, ତେବେ ମୋ ବିରୋଧରେ ଚାର୍ଜସିଟ କରନ୍ତୁ । ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ । ମୋ ସହ ଖୋଲା ବିତର୍କ କରନ୍ତୁ । ଶାସକ ଦଳର ୪୬ ଜଣ ବିଧାୟକଙ୍କ ନାମରେ ୧୮୦ଟି ମାମଲା ରହିଛି । ତନ୍ମଧ୍ୟରୁ ୬ଜଣଙ୍କ ନାମରେ ୩୦୭ ଓ ୫ଜଣଙ୍କ ନାମରେ ଅସଦାଚରଣ ମାମଲା ରହିଛି । ସେହିପରି ଜଣଙ୍କ ନାମରେ ବଳାକ୍ରାର ଓ ୪ ଜଣଙ୍କ ନାମରେ ଅପହରଣ ମାମଲା ରହିଛି । ନିଜ କଥା କହି ମାଡ଼ ଖାଇଥିବା ଲୋକଙ୍କ ନାମରେ ମାମଲା ହେଉଛି । ମୁଁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ପ୍ରମାଣ କଲେ ରାଜନୀତି ଛାଡ଼ି ଦେବି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ପ୍ରକାଶ ଯେ, ମହିଳା ପୁଲିସଙ୍କୁ ଆକ୍ରମଣ କରିବା ପ୍ରସଙ୍ଗରେ ବିଜେଡି ଜୟନାରାୟଣଙ୍କୁ ଟାର୍ଗେଟ କରିଛି । ଏପରିକି ବିଜେଡିର ମହିଳା ବିଧାୟକମାନେ ଜୟନାରାୟଣଙ୍କ ବିରୋଧରେ ବାଚସ୍ପତି ବିକ୍ରମକେଶରୀ ଆରୁକ୍ଷଙ୍କୁ ଗତ ୨୧ ତାରିଖ ଦିନ ଭେଟି ଫେରାଦ ହୋଇଥିଲେ । ଏହି ଅବସରରେ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ ବିରୋଧୀ ଦଳ ନେତାଙ୍କ ନାମରେ ଅପରାଧିକ ମାମଲା ରହିଛି । ଜୟନାରାୟଣଙ୍କ ବିରୋଧରେ ବହୁ ମାମଲା ରହିଛି । ସେ ଜାମିନରେ ଅଛନ୍ତି । ତାଙ୍କ ମାନସିକ ଅବସ୍ଥା ଠିକ ନାହିଁ । ସମସ୍ତଙ୍କୁ ଖାଲି ଆକ୍ରମଣ କରୁଛନ୍ତି । ଆମେ ମହିଳା ବିଧାୟକମାନେ ଗୃହ ଭିତରେ ସୁରକ୍ଷିତ ମନେ କରୁନାହୁଁ । ତେଣୁ ବାଚସ୍ପତି ତାଙ୍କୁ ବିରୋଧୀ ଦଳ ନେତା ପଦକୁ ଡିରେକଜନାଇଜ କରନ୍ତୁ ବୋଲି ସ୍ନେହାଙ୍ଗିନୀ ଛୁରିଆ ଦାବି କରିଥିଲେ । ଅନ୍ୟପକ୍ଷରେ ଶଶୀଭୂଷଣ ବେହେରା ମଧ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଚରଣକୁ ବିରୋଧ କରିଥିଲେ ।