ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ

Feb 5, 2019 - 17:55
 179
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ
ଭୁୁବନେଶ୍ୱର,୫/୨(ସକାଳଖବର): ପଂଚଦଶ ବିଧାନସଭାର ପଂଚଦଶ ଅଧିବେଶନର ଦ୍ୱିତୀୟ କାର୍ଯ୍ୟକାରୀ ଦିବସରେ ଆଜି ଗୃହରେ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ପ୍ରଥମାର୍ଧ ବୈଠକ କେବଳ ଦଶ ମିନିଟ ପାଇଁ ହିଁ ଚାଲି ପାରିଥିଲା । ହଟ୍ଟଗୋଳ ଯୋଗୁ ପ୍ରଶ୍ନୋତର କାର୍ଯ୍ୟକ୍ରମ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଦୁଇ ଥର ୧୦.୪୦ରୁ ୧୧.୪୦ ଓ ପରେ ୧୧.୪୨ରୁ ଦିନ ତିନିଟା ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧ ବୈଠକ ମାତ୍ର ୩ ମିନିଟ୍ ପାଇଁ ଚାଲିଥିଲା । ଏହି ବୈଠକରେ ବିରୋଧୀଙ୍କ ହଟ୍ଟଗୋଳ ଜାରୀ ରହିବାରୁ ରାଜ୍ୟପାଳଙ୍କ ଅଭିଭାଷଣ ଜନିତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନଥିଲା । ୩ଟା ବେଳେ ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବା ପରେ ୩ ଟା ୨ରୁ ୩ଟା ୩୨ , ୩୦ ମିନିଟ୍ ଓ ୩ଟା ୩୨ରୁ ୪ ଟା ୨ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା । ୪ଟା ୩ରୁ ଆସନ୍ତାକାଲି ୧୦ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା ବୋଲି ବାଚସ୍ପତି ଓ ଉପବାଚସ୍ପତି ଘୋଷଣା କରିଥିଲେ । ପରମ୍ପରା ଅନୁଯାୟୀ ଆଜିର ତାରକା ଚିହ୍ନିତ ପ୍ରଶ୍ନର ସମସ୍ତ ଲିଖିତ ଉତର ଗୃହରେ ଉପସ୍ଥାପନ କରିଥିଲେ । ହଟ୍ଟଗୋଳ ବେଳେ ବିଜେପି ବିଧାୟକ ମାନେ ନିଜ ଦେହରେ ଗାଉନ ଗୁଡାଇ ଚିଟ ଫଣ୍ଡ ମାମଲାକୁ ନେଇ ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ଦଳର ସଦସ୍ୟ ମାନେ ଚାଷୀ ମାରଣ ନୀତିକୁ ନେଇ ଉଭୟ ବିଜେଡି ଓ ବିଜେପି ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ବିଜେପି ବିଧାୟକ ମାନେ ପିନ୍ଧିଥିବା ଗାଉନରେ ନବୀନ - ମମତା ଚିଟ ଫଣ୍ଡ- ଏହା ଭୁଲ କି ବୋଲି ଲେଖା ଯାଇଥିବା ବେଳେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ରିପୋର୍ଟର ଟେବୁଲ ଉପରେ ଠିଆ ହୋଇ ବିଜେଡି- ବିଜେପିର ଚାଷୀ ମାରଣ ନୀତି ଚଳିବ ନାହିଁ ବୋଲି ନାରାବାଜୀ କରୁଥିବାର ଦେଖା ଯାଇଥିଲା । ସେହିପରି ଭାବରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ବାଚସ୍ପତିଙ୍କ ପୋଡିୟମକୁ ବାଡେଇବାର ଦେଖା ଯାଇଥିଲା । ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ଦେହାବସନ ପରେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇବାକୁ ଶୋକ ପ୍ରସ୍ତାବ ଆଗତ କରିଥିଲେ । କଂଗ୍ରେସର ମୁଖ୍ୟ ସଚେତକ ଶ୍ରୀ ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ଦଳର ନେତା କନକ ବର୍ଧନ ସିଂହ ଦେଓ ଏହି ଶୋକ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହା ପରେ ବାଚସ୍ପତି ପ୍ରଦୀପ ଅମାତ ଏହି ଶୋକ ପ୍ରସ୍ତାବରେ ଅଂଶଗ୍ରହଣ କରି ସ୍ୱର୍ଗତ ହରିହର କରଣଙ୍କର ରାଜନୈତିକ ଓ ସାମାଜିକ ଜୀବନ ଉପରେ ଆଲୋକପାତ କରିଥିଲେ । ଦୀର୍ଘ ସାତ ମିନିଟ ଧରି ଆଲୋଚନା ପରେ ବାଚସ୍ପତିଙ୍କ ନିର୍ଦେଶ କ୍ରମେ ବିଧାୟକ ମାନେ ନିଜ ନିଜ ସ୍ଥାନରେ ଠିଆ ହୋଇ ତାଙ୍କର ଆତ୍ମାର ସଦଗତି ପାଇଁ ଏକ ମିନିଟ ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଗୃହର ଶୋକ ପ୍ରସ୍ତାବ ତାଙ୍କର ପରିବାରଙ୍କ ନିକଟକୁ ପଠାଇ ଦିଆ ଯିବ ବୋଲି ବାଚସ୍ପତି ଗୃହକୁ ଜଣାଇଥିଲେ ।