ଠିକାସଂସ୍ଥାର ୬ ଗାଡି ପୋଡିଲେ ମାଓବାଦୀ

Feb 5, 2019 - 17:53
 191
ଠିକାସଂସ୍ଥାର ୬ ଗାଡି ପୋଡିଲେ ମାଓବାଦୀ
କନ୍ଧମାଳ, ୫/୨(ସକାଳଖବର): ଜିଲ୍ଲାରେ କିଛିଦିନ ବ୍ୟବଧାନରେ ପୁଣି ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ଗତ କାଲି ରାତିରେ ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ଝିରିପାଣି ଗ୍ରାମପଂଚାୟତର ଦେଶୁଘାଟି ଠାରେ ଚାଲିଥିବା ବି୍ରଜ ନିର୍ମାଣ କାର୍ଯ୍ୟର ଠିକା କମ୍ପାନୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ ମାଓବାଦୀ । ମାଓବାଦୀମାନେ ପ୍ରଥମେ ସେଠାରେ ଥିବା କର୍ମଚାରୀ ମାନଙ୍କୁ କ୍ୟାମ୍ପର ଅସ୍ଥାୟୀ ଘରେ ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ । ସେଠାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୬ଟି ଗାଡିକୁ ନିଆଁ ଲଗାଇ ପୋଡି ଦେବା ସହିତ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ମାଓ ପୋଷ୍ଟର ଛାଡିଯାଇଛନ୍ତି । ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ଼ ୮ଟା ସମୟରେ ୨୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଦେଶୁଘାଟିଠାରେ ବି୍ରଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବି.କେ.ଡି ଠିକାସଂସ୍ଥାର ଗୋଟିଏ ଟ୍ରଲର,୩ଟି ହାଇୱା, ଗୋଟିଏ ଜେସିବି ଓ ଗୋଟିଏ ଟ୍ରାକ୍ଟରକୁ ପୋଡି ଦେଇଥିଲେ । ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ସେମାନେ ସେଠାରେ ପୋଡାଜଳା ଚଳାଇଥିଲେ । ଘଟଣାସ୍ଥଳରେ ସେମାନେ କିଛି ମାଓ ପୋଷ୍ଟର ଛାଡି ଯାଇଥିଲେ । ଏହି ନିର୍ମାଣ କାର୍ଯ୍ୟକୁ ନିମ୍ନମାନର ଦର୍ଶାଇ ରାସ୍ତା ନିର୍ମାଣକୁ ବିରୋଧ କରିଛନ୍ତି ମାଓବାଦୀ । ରାସ୍ତା ତିଆରିରେ ସେହି ଅଂଚଳରେ ଉନ୍ନତି ହେବା ବଦଳରେ ସେଠାର ଥିବା ଖଣିଜ ସମ୍ପଦକୁ ବାହାରକୁ ନେବାପାଇଁ ହେଉଥିବା ଯୋଜନାକୁ ଫଳବତୀ କରାଇ ଦିଆଯିବ ନାହିଁ । ଏହାଦ୍ୱାରା ଆଦିବାସୀ ମାନଙ୍କୁ ବିସ୍ଥାପନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ସେଠାରେ ପହଂଚି ତଦନ୍ତ ଚଳାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ, ଗତ ଜାନୁଆରୀ ୫ ତାରିଖରେ ସୁଡୁ୍ରକୁମ୍ପା ମାଦିକୋଲା ଠାରେ ଆଉ ଏକ ଠିକା ସଂସ୍ଥାର ଗାଡି ଗୁଡିକୁ ପୋଡିବା ସହିତ ସେହି ଅଂଚଳର ରବିନ୍ଦ୍ର ମଲ୍ଲିକ ନାମକ ଜଣେ ଗ୍ରାମବାସୀକୁ ପୋଲିସ ଇନଫର୍ମର ସନେ୍ଦହରେ ହତ୍ୟା କରିଥିଲେ ମାଓବାଦୀ ।